ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏପ୍ରିଲରୁ ଆରମ୍ଭ ହେବ ଟଏ ଟ୍ରେନ୍

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣି ଉଦ୍ୟାନରେ ପର୍ଯ୍ୟଟକ ନେବେ ଡବଲ ମଜା । ଟଏ ଟ୍ରେନ ବା ଶିଶୁ ରେଳ ଗାଡ଼ିରେ ବୁଲି ମୁକ୍ତ ଜୀବଜନ୍ତୁ ଦେଖିବା ସହ କାଞ୍ଜିଆ ହ୍ରଦର ମଜା ନେଇପାରିବେ ପର୍ଯ୍ୟଟକ । ୧୯୮୫ ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା । ୨୦୧୩ ମସିହାରେ ଏହାର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ପଡ଼ିଥିଲା । କୌଣସି ଠିକା ସଂସ୍ଥା ବି ପୁନର୍ବାର ନେବାକୁ ଅରାଜି ହୋଇଥିଲେ । ସେବେଠୁ ୯ ବର୍ଷ  ହେବ ବନ୍ଦ ପଡିଥିବା ଟଏ ଟ୍ରେନ ବା ଶିଶୁ ରେଳଗାଡି ଆସନ୍ତା ଏପ୍ରିଲ ମାସରୁ ଚାଲିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ଦ୍ୱାରା ୩ କୋଟି ୫ ଲକ୍ଷ ଟଙ୍କା ଧାର୍ଯ୍ୟରେ ବଗି ଓ ଟ୍ରାକ କାମ ସମ୍ପୂର୍ଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟଏ ଟ୍ରେନ ଇଞ୍ଜିନ ସହିତ ୪ ଟି ବଗି ରହିବ ।  ଥରକେ ୭୨ ଜଣ ପର୍ଯ୍ୟଟକ ବୁଲିବାର ମଜା ନେଇପାରିବେ । ପାଖାପାଖି ଦେଢ କିଲୋମିଟର ପର୍ଯ୍ୟନ୍ତ ପଯ୍ୟଟକ ଟ୍ରେନରେ ବୁଲି ମୁକ୍ତ ଜୀବଜନ୍ତୁ ଦେଖିପାରିବେ ।

ଏଥିସହିତ ପଢ଼ନ୍ତୁ: ଭାଇଚାରାର ପର୍ବରେ ଭାଇରସ୍ ନ ବ୍ୟାପୁ: କରୋନା କଟକଣା ମାନି ହୋଲି ଖେଳିବାକୁ ପରାମର୍ଶ 

Leave a Reply