ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣା, ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ସଫାରି ବସ୍ କର୍ମଚାରୀଙ୍କ ମାଡ଼ ଘଟଣା । ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦିଆଗଲା ଦାୟିତ୍ୱ । ପର୍ଯ୍ୟଟକଙ୍କୁ ମାଡ଼ ଘଟଣାର ତଦନ୍ତ କରୁଛି ନନ୍ଦନକାନନ ପୋଲିସ । ତଦନ୍ତ ପରେ ଆକ୍ରମଣ କରିଥିବା ସଫାରି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡ଼ିଲେ ସଫାରି ବସ୍ ଓ ବ୍ୟାଟେରୀ ଚଳିତ ଗାଡ଼ିକୁ ଟେଣ୍ଡର ପ୍ରକ୍ରିୟାରେ ନେଇଥିବା ଘରୋଇ ସଂସ୍ଥାର ଲାଇସେନ୍ସକୁ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ।

ନନ୍ଦନକାନନରେ କୌଣସି ସମସ୍ୟା ହେଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପର୍ଯ୍ୟଟକଙ୍କୁ ଜଣାଯାଇଛି । ଏହାସହ ପ୍ରାଣୀ ଉଦ୍ୟାନରେ ଥିବା ସଫାରୀ, ବୋଟିଂ, ପାର୍କିଂରେ ବିଶୃଙ୍ଖଳା ହେଲେ ଆଇନ ହାତକୁ ନ ନେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଗତକାଲି ଛତିଶଗଡ଼ର ପର୍ଯ୍ୟଟକଙ୍କୁ ଠେଙ୍ଗା, କାଠଫାଳିଆରେ ମାଡ଼ ମାରିବାର ଭିଡିଓ ଭାଇରଲ ହୋଇଥିଲା । ବିଳମ୍ବକୁ ନେଇ ବଚସା ହେବାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ ୫୦ରୁ ଅଧିକ କର୍ମଚାରୀ । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ପର୍ଯ୍ୟଟକ ।

ଅଭିଯୋଗ ଅନୁସାରେ, ଛତିଶଗଡ଼ରୁ ୨୬ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରିରେ ବୁଲିବା ପାଇଁ ଦିନ ୨ଟାରେ ଟିକେଟ କାଟିଥିଲେ । ମାତ୍ର ୩ ଘଣ୍ଟା କାଳ ଅପେକ୍ଷା ପରେ ମଧ୍ୟ ସଫାରି ନମିଳିବାରୁ କର୍ମଚାରୀଙ୍କ ସହିତ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ ସଫାରି କର୍ମଚାରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।