କାଳବୈଶାଖୀ ଯୋଗୁଁ ପ୍ରଭାବିତ ହୋଇଛି ତୋଷାଳି ମେଳା

ଭୁବନେଶ୍ବର : ବିଳମ୍ବ ସାଙ୍ଗକୁ ଅଦିନିଆ ବର୍ଷା । ଚିନ୍ତାରେ ତୋଷାଳି ମେଳାର ବ୍ଯବସାୟୀ । ଗତ ୧୫ ତାରିଖରୁ ଭୁବନେଶ୍ବର ଜନତା ମୈଦାନରେ ଚାଲିଛି ମେଳା । ଆସନ୍ତା ୩୧ ଯାଏଁ ଚାଲିବ ୧୯ ତାମ ତୋଷାଳି ହସ୍ତତନ୍ତ ମେଳା । ଏଥିରେ ୬୫୦ ରୁ ଅଧିାକ ଷ୍ଟଲ ଲଗିଛି । ରାଜ୍ୟରୁ ୧୫୦ଟି ଷ୍ଟଲରେ ୫୦ ଜଣ ବୁଣାକାର ସେମାନଙ୍କ କଳା ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ପାରମ୍ପରିକ ଖାଦ୍ୟ ପାଇଁ ୩୫ଟି ଷ୍ଟଲ ରହିଛି । ଚଳିତ ବର୍ଷ ୩୦ ଲକ୍ଷ ଜନ ସମାଗମ ସହ ୨୮ କୋଟିର ବ୍ଯବସାୟ ନେଇ ଆଶା ରଖିଛି ବିଭାଗ । ହେଲେ ବିଳମ୍ବରେ ମେଳା ଆରମ୍ଭ ହେବା ଓ କାଳବୈଶାଖୀ ଜନିତ ଅଦିନିଆ ବର୍ଷା ଯୋଗୁ ବିକ୍ରିବଟା ଜମିଲା ନାହିଁ । ତେଣୁ ଲକ୍ଷ୍ୟ ପୂରଣ ନେଇ ଏକପ୍ରକାର ସନ୍ଦେର ସୃଷ୍ଟି ହୋଇଛି । ବର୍ଷା ଯୋଗୁଁ ମେଳାକୁ ଆସିପାରୁ ନଥିବା କହିଛନ୍ତି ଗ୍ରାହକ ।

ଚଳିତ ବର୍ଷ ଅନେକ ନୂଆ, ପୁରୁଣା ବ୍ୟବସାୟୀ ମେଳାରେ ସାମିଲ ହୋଇଛନ୍ତି । ତେବେ ବର୍ଷା ଯୋଗୁ ଖାଁ ଖାଁ ହୋଇଛି ମେଳା ପଡ଼ିଆ । ଷ୍ଟଲରେ ଘରକରଣା ସାମଗ୍ରୀ ସାଙ୍ଗକୁ ପାରମ୍ପରିକ ଖାଦ୍ଯର ପସରା ମେଲିଥିଲେ ସୁଦ୍ଧା ଗ୍ରାହକ ଆସୁ ନଥିବାରୁ ଚିନ୍ତାରେ ବ୍ଯବସାୟୀ । ତେବେ ମେଳାକୁ ଆଉ ୭ ଦିନ ଥିବାରୁ କିଛି ବ୍ଯବସାୟ ହେବା ଆଶା ରଖିଛନ୍ତି ବେପାରୀ । ସରକାର ବିଳମ୍ବରେ ମେଳା ପକାଇ ପ୍ରାୟ ୨୮ କୋଟିର ସାମଗ୍ରୀ ବିକ୍ରିର ଆଶା ରଖିଥିଲା ବେଳେ ପାଗ ପରିବର୍ତ୍ତନ ବ୍ୟବସାୟରେ ବାଧକ ସାଜିଛି ।