ଆମେରିକାର ନ୍ୟୁ ଓର୍ଲିୟନସ୍‌ରେ ଭୟଙ୍କର ଘୂର୍ଣ୍ଣିଝଡ଼, ଭାଙ୍ଗିଲା ହଜାର ହଜାର ଘର

ଓ୍ୱାଶିଂଟନ: ଆମେରିକାର ନ୍ୟୁ ଓର୍ଲିୟନସରେ ଭୟଙ୍କର ଘୂର୍ଣ୍ଣିଝଡ଼ । ଭୟଙ୍କର ଘୂର୍ଣ୍ଣିଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ହୋଇଛି ସହର । ହଜାର ହଜାର ଘର ଭାଙ୍ଗିରୁଜି ଯାଇଥିବାବାବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ପ୍ରବଳ ଝଡ଼ବାତ୍ୟାରେ ଅନେକ କାର୍ ଓଲଟି ପଡ଼ିଥିବା ପରିଲକ୍ଷିତ ହୋଇଛି । ଗତ ୨୦୦୫ରେ ହରିକେନ କାଟ୍ରିନା ନ୍ୟୁ ଓର୍ଲିୟନସକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା । କେବଳ ନ୍ୟୁ ଓର୍ଲିୟନସରେ ନୁହେଁ ଟେକ୍ସାସ, ଓକଲହୋମାରେ ମଧ୍ୟ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ । ବିଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ପଡ଼ିବା ଯୋଗୁ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲୁଇସିଆନା ଗଭର୍ଣ୍ଣର ଜେନ ବେଲ ଏଡଓ୍ୱାର୍ଡସ ସ୍ଥିତି ସମୀକ୍ଷା କରିଛନ୍ତି । ଏହି ସବୁ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଗତ ମଙ୍ଗଳବାର ଦକ୍ଷିଣାଞ୍ଚଳ ଆମେରିକାର ବିଭିନ୍ନ ସହରରେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଥିଲା । ଲୁଇସିଆନା, ମିସିସିପି, ଆଲବାମାରେ ବି ବ୍ୟାପକ କ୍ଷତି ଘଟିଛି । ଡଲାସରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।