କରୋନାର ଆଉ ତିନି ନୂଆ ଲକ୍ଷଣ, ସିଡିସି କହିଲା ଲମ୍ବିପାରେ ତାଲିକା…

1 min read
Top US health body adds 3 new symptoms of Covid-19

ନୂଆଦିଲ୍ଲୀ: ପ୍ରଥମେ ଥିଲା ଜର, ଥଣ୍ଡା, କାଶ, ଛିଙ୍କ, ଗଳା ଦରଜ ଭଳି ଲକ୍ଷଣ । ଏହାପରେ ଏଥିରେ ଯୋଡ଼ି ହେଲା ସ୍ୱାଦ ବାରି ନହେବା , ଶୁଙ୍ଘି ନପାରିବା ଭଳି ଅସୁବିଧା ହେବାର ଲକ୍ଷଣ । ଆଉ ଏବେ ପୁଣି ଯୋଡ଼ି ହୋଇଛି ୩ ନୂଆ ଲକ୍ଷଣ । ଏନେଇ ‘ଦ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌’ (ସିଡିସି) ପକ୍ଷରୁ ସୂଚନା ଦିଆଯାଇଛି ।

ସାରା ବିଶ୍ୱରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଏହାକୁ ରୋକିବା ପାଇଁ ଦୀର୍ଘ ଦିନ ଧରି ବିଭିନ୍ନ ଦେଶ ମାନେ ଲକ୍‌ଡାଉନ୍‌ ସ୍ଥିତି ଜାରି ରଖିଛନ୍ତି । ଅନ୍ୟପଟେ ଏହାର ପ୍ରତିକାର ପାଇଁ ପ୍ରତିଶୋଧକ ମଧ୍ୟ ପ୍ରସ୍ତୁତ କରିବାରେ ଲାଗିଛନ୍ତି ଅନେକ ଦେଶ । ହେଲେ ଏବେ ସୁଦ୍ଧା କୌଣସି ଔଷଧ ବଜାରକୁ ଆସିପାରି ନାହିଁ । ତେବେ ଏହାରି ମଧ୍ୟରେ କିଛି ଦେଶମାନେ ଦାବି କରିଛନ୍ତି ଯେ, କରୋନା ଭୂତାଣୁକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ସେମାନେ ଔଷଧ ପ୍ରସ୍ତୁତ କରି ସାରିଛନ୍ତି । ଆଉ ଏହି ତାଲିକାରେ ଭାରତ ମଧ୍ୟ ଯୋଡ଼ି ହୋଇଛି ।

ହେଲେ ସବୁଠାରୁ ବଡ଼ କଥା ହେଲା କିଏ କରୋନା ଭୂତାଣୁ ସଂକ୍ରମିତ ଜାଣିବା ଏବେ ବି ମୁସ୍କିଲ । କାରଣ WHO ପକ୍ଷରୁ କୁହାଯାଇଥିବା କିଛି ଲକ୍ଷଣ ନଥାଇ ମଧ୍ୟ ଅନେକ ଲୋକ କରୋନା ସଂକ୍ରମଣ ଥିବା ରିପୋର୍ଟରୁ ଜଣାପଡ଼ିଛି । ତେବେ ଏହି କ୍ରମରେ ପୂର୍ବରୁ WHO ପକ୍ଷରୁ ଯେଉଁସବୁ କରୋନା ଲକ୍ଷଣ ଗୁଡ଼ିକ କୁହଯାଇଥିଲା, ସେଥିରେ ସିଡିସି ପକ୍ଷରୁ ଆଉ କିଛି ଲକ୍ଷଣ ଏବେ ଯୋଡ଼ାଯାଇଛି ।

ଆମେରିକାର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ୧୨ ଲକ୍ଷଣ ବିଶିଷ୍ଟ ଏହି ସୂଚିରେ ଏବେ ନୂଆ ୩ ଲକ୍ଷଣକୁ ସାମିଲ କରିଛି । ୩ଟି ନୂଆ ଲକ୍ଷଣଗୁଡିକ ହେଉଛି, ନାକ ରୁଦ୍ଧ ହେବା ଓ ସିଙ୍ଘାଣି ବୋହିବା, ବାନ୍ତି ବାନ୍ତି ଲାଗିବା ଏବଂ ତରଳ ଝାଡ଼ା ହେବା । ଏହା ପୂର୍ବରୁ ‘ସିଡିସି’ ଜ୍ୱର, ଥଣ୍ଡା, କାଶ, ଅଣନିଃଶ୍ୱାସୀ, ଅବସନ୍ନତା, ଦେହହାତ ଓ ମାଂଶପେଶୀ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ସ୍ୱାଦ ବାରିବା ଏବଂ ଘ୍ରାଣ ଶକ୍ତି ନଷ୍ଟ ହେବା, ତଣ୍ଟି ଦରଜ ଆଦିକୁ କୋଭିଡ୍-୧୯ ଲକ୍ଷଣ ଭାବେ ତାଲିକାଭୁକ୍ତ କରିଥିଲା ।

ଖୁବ୍ ଶୀଘ୍ର ‘ସିଡିସି’ ଉପରୋକ୍ତ ତିନୋଟି ଲକ୍ଷଣକୁ ମଧ୍ୟ ତାଲିକାଭୁକ୍ତ କରିବାକୁ ଯାଉଛି । ଅନ୍ୟପଟେ କରୋନା ଆରମ୍ଭରୁ ମାତ୍ର ତିନୋଟି ଲକ୍ଷଣ ଜଣା ଥିଲା । ତାହା ହେଉଛି ଜ୍ୱର, କାଶ ଏବଂ ଅଣନିଃଶ୍ୱାସୀ ଲାଗିବା । କିନ୍ତୁ ଏପ୍ରିଲ୍ ମାସରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ସେଥିରେ ସାମିଲ କରିଥିଲା । ତେବେ କରୋନା ଲକ୍ଷଣକୁ ନେଇ ଲିଷ୍ଟ ଆହୁରି ଲମ୍ବା ହେବାର ସମ୍ଭାବନା ଥିବା ନେଇ ସିଡିସି ପକ୍ଷରୁ ସୂଚନା ମିଳିଛି ।

Leave a Reply