IPLର ଟପ-୧୦ ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ ରହିଛି ଅତୁଟ

1 min read

କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୮ତମ ସିଜିନ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମେ ୨୫ରl ଫାଇନାଲ ମୁକାବିଲା ଖେଳାଯିବ । ଇଡନ ଗାର୍ଡନରେ କୋଲକତା ନାଇଟ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏଥର ୧୦ଟି ଟିମ ମଧ୍ୟରେ ୬୫ ଦିନରେ ମୋଟ ୭୪ଟି ମ୍ୟାଚ ଖେଳkଯିବ । ଆଇପିଏଲ ଇତିହାସରେ ଏପରି କିଛି ରେକର୍ଡ ରହିଛି ଯାହାକୁ ଭାଙ୍ଗିବା କୌଣସି ଖେଳାଳିଙ୍କ ପାଇଁ ମୁସ୍କିଲ ହୋଇପାରେ ।

(୧) ଗୋଟିଏ ଆଇପିଏଲରେ ସର୍ବାଧିକ ୯୭୩ ରନ କରିବାର ରେକର୍ଡ ବିରାଟ  କୋହଲିଙ୍କ ନାମରେ ରହିଛି । ଏହି ରେକର୍ଡ ୯ ବର୍ଷ ଧରି ଅତୁଟ ରହିଛି । ୨୦୧୬ରେ କୋହଲି ୪ଟି ଶତକ ଓ ୭ଟି ଅର୍ଦ୍ଧଶତକ ହାସଲ କରିଥିଲେ ।

(୨) ସବୁଠାରୁ ବଡ଼ ପାର୍ଟନରଶିପର ରେକର୍ଡ ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ନାମରେ ରହିଛି । ୨୦୧୬ରେ ଦୁହେଁ ୨୨୯ ରନ ଯୋଡ଼ିଥିଲେ । ବିରାଟ ୫୫ଟି ବଲରୁ ୧୦୯ ରନ୍ ଓ ଡିଭିଲର୍ସ ୫୨ଟି ବଲରୁ ୧୨୯ ରନ୍ ସଂଗ୍ରହ କରିଥିଲେ ।

(୩) ୨୦୧୩ରେ କ୍ରିସ ଗେଲ ପୁଣେ ଓ୍ବାରିୟର୍ସ ବିପକ୍ଷରେ ସବୁଠାରୁ ଦ୍ରୁତ ଶତକ ହାସଲ କରିଥିଲେ । ଗେଲ ପଞ୍ଜାବ କିଙ୍ଗସ ତରଫରୁ ଖେଳି ୩୮ଟି ବଲରେ ଶତକ ମାରିଥିଲେ ।

(୪) ଅର୍ଦ୍ଧଶତକ ମାରିବାର ରେକର୍ଡ ରାଜସ୍ଥାନ ଓପନର ଯଶସ୍ବୀ ଜୟଓ୍ବାଲଙ୍କ ନାମରେ ରହିଛି । ୨୦୨୩ରେ ଯଶସ୍ବୀ କୋଲକତା ବିପକ୍ଷରେ ୧୩ଟି ବଲରେ ହାଫ୍ ସେଞ୍ଚୁରୀ ମାରିଥିଲେ । ସେ ୩ଟି ଛକା ଓ ୬ଟି ଚୌକା ମାରିଥିଲେ ।

(୫) ୨୦୧୩ରେ ଗେଲ ଗୋଟିଏ ମ୍ୟାଚରେ ୧୭ଟି ଛକାର ମାରିଥିଲେ । ଉକ୍ତ ମ୍ୟାଚରେ ସେ ୧୭୫ ରନ୍ ସଂଗ୍ରହ କରିଥିଲେ । କୌଣସି ବ୍ୟାଟ୍ସମ୍ୟାନଙ୍କ ଦ୍ବାରା ଗୋଟିଏ ପାଳିରେ ଏହା ହେଉଛି ସର୍ବାଧିକ ରନ୍ ।

(୬) ଗେଲ ଓ ରବିନ୍ଦ୍ର ଜାଡେଜାଙ୍କ ନାମରେ ଗୋଟିଏ ଓଭରରେ ସର୍ବାଧିକ ରନ୍ କରିବାର ରେକର୍ଡ ରହିଛି । ୨୦୧୧ରେ ଗେଲ ଆରସିବି ତରଫରୁ ଖେଳି କୋଚି ବିପକ୍ଷରେ ଗୋଟିଏ ଓଭରରେ ୩୭ ରନ୍ ସଂଗ୍ରହ କରିଥିଲେ । ସେହିପରି ୨୦୨୧ରେ ଚେନ୍ନାଇ ତରଫରୁ ଖେଳି ଆରସିବି ବିପକ୍ଷରେ ଜାଡେଜା ଗୋଟିଏ ଓଭରରେ ୩୭ ରନ୍ ସଂଗ୍ରହ କରିଥିଲେ ।

(୭) ଓ୍ବେଷ୍ଟଇଣ୍ଡିଜ ପେସର ଅଲଜାରୀ ଜୋସେଫ ଆଇପିଏଲରେ ମୁମ୍ବାଇ ବିପକ୍ଷରେ ୨୦୧୯ରେ ଡେବ୍ୟୁ କରିଥିଲେ । ସେ ହାଇଦ୍ରାବାଦ ବିପକ୍ଷରେ ୩.୪ ଓଭର ବୋଲିଂ କରି ୧୨ ରନ୍ ଦେଇ ୬ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

(୮) ଆଇପିଏଲ ଇତିହାସରେ ଜଣେ ବୋଲର ୩ ଥର ହ୍ୟାଟ୍ରିକ ନେଇଛନ୍ତି । ଅମିତ ମିଶ୍ରା ଦିଲ୍ଲୀ, ଡେକାନ ଚାର୍ଜର୍ସ ଓ ହାଇଦ୍ରାବାଦ ବିପକ୍ଷରେ ଏହି ରେକର୍ଡ କରିଥିଲେ ।

(୯) କୋଲକତା ୨୦୧୪ରୁ ୨୦୧୫ ମଧ୍ୟରେ କ୍ରମାଗତ ୧୦ଟି ମ୍ୟାଚ ଜିତି ରେକର୍ଡ କରିଥିଲା । କୋଲକତା ଲଗାତର ୧୪ଟି ଟି-୨୦ ମ୍ୟାଚ ଜିତିଥିଲା । ୨୦୧୪ରେ ଆଇପିଏଲ ଟ୍ରଫି ଜିତିବା ପରେ ଚାମ୍ପିୟନ୍ସ ଲିଗ ଟି-୨୦ରେ ୫ଟି ମ୍ୟାଚ ଜିତିଥିଲା ।

(୧୦) ଆଇପିଏଲରେ ଫିଲଡିଂ ରେକର୍ଡ ଡିଭିଲିୟର୍ସଙ୍କ ନାମରେ ରହିଛି । ୨୦୧୬ ସିଜିନରେ ସେ ଗୋଟିଏ କି ଦୁଇଟି ନୁହେଁ, ମୋଟ ୧୯ଟି କ୍ୟାଚ ନେଇଥିଲେ । ଜଣେ ଫିଲ୍ଡର (ଓ୍ବିକେଟ କିପର ନୁହେଁ) ଭାବେ ଗୋଟିଏ ସିଜିନରେ ଏହା ହେଉଛି ସର୍ବାଧିକ କ୍ୟାଚ ।