ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଝୁରୁଛି ଦେଶ, ଆସନ୍ତାକାଲି ଶେଷକୃତ୍ୟ
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପରଲୋକରେ କାନ୍ଧୁଛି ସାରା ଦେଶ। ଚାରିଆଡେ ଖେଳିଯାଇଛି ଶୋକର ଛାୟା। ସାତ ଦିନିଆ ଶୋକ ପାଳୁଛି ଦେଶ । ସବୁଠି ଜାତୀୟ ପତାକା ଅର୍ଦ୍ଧନମିତ। ଆଜି ବାତିଲ ହୋଇଛି ସମସ୍ତ ସରକାରୀ କାର୍ଯ୍ୟକ୍ରମ। ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ନେତା, ଜନତା ଓ ଦଳୀୟ କର୍ମୀ। ଦିଲ୍ଲୀ ମୋତିଲାଲ ନେହରୁ ମାର୍ଗ ସ୍ଥିତ ବାସଭବନରେ ମନମୋହନଙ୍କ ପାର୍ଥିକ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯାଇଛି। ମନମୋହନ ସିଂହଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଦୀର୍ଘ ଦିନଧରି ଅସୁସ୍ଥତାରୁ ଗୁରୁବାର ଦିଲ୍ଲୀ ଏମସରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ଆମ ସମସ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶ ବିଭାଜନ ସମୟରେ ଭାରତକୁ ଆସି ଜୀବନର ସମସ୍ତ କ୍ଷେତ୍ରରେ ଉପଲବ୍ଧି ହାସଲ କରିବା ସହଜସାଧ୍ୟ କଥା ନୁହଁ। ଜଣେ ଶ୍ରେଷ୍ଠ ବ୍ଯକ୍ତିତ୍ଵ ଏବଂ ବିଦ୍ଵାନ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କୁ ଦେଶ ସର୍ବଦା ମନେ ପକାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାଂସଦ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବାସଭବନକୁ ଆସି ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଆସନ୍ତାକାଲି ହେବ ଶେଷକୃତ୍ୟ। ସକାଳ ସାଢେ ୯ଟାରେ ଆରମ୍ଭ ହେବ ଶେଷ ଯାତ୍ରା। ପ୍ରଥମେ ମନମୋହନ ସିଂହଙ୍କ ବାସଭବନରୁ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିବ ପାର୍ଥିବ ଶରୀର। କଂଗ୍ରେସ ମୁଖ୍ଯାଳୟରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କେଉଁଠାରେ କରାଯିବ ଏହାର ନିଷ୍ପତ୍ତି ନେବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆମେରିକାରେ ଥିବା ତାଙ୍କର ଜଣେ ଝିଅ ଆସୁଛନ୍ତି। ସେ ଆସିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାର ସହ ସମ୍ପନ୍ନ ହେବ। ସରକାରଙ୍କ ପକ୍ଷରୁ ଆଜି ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି। ଆସନ୍ତାକାଲି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ।