ଆମେରିକାରେ ବଢୁଛି ଟୁଥପେଷ୍ଟ ଓ ଚକୋଲେଟ ଚୋରି

ଓ୍ବାସିଂଟନ: ଆମେରିକାରେ ଅଦ୍ଭୁତ ଧରଣର ଚୋରି । ବଢ଼ିବାରେ ଲାଗିଛି ଟୁଥପେଷ୍ଟ, ଚକୋଲେଟ, ଓ୍ବାସିଂ ପାଉଡର ଓ ଡିଓଡରାଣ୍ଟର ଚୋରି । ଏହି କାରଣରୁ କଡ଼ା ସୁରକ୍ଷା ମଧ୍ୟରେ ଏସବୁ ଦ୍ରବ୍ୟକୁ ରଖୁଛନ୍ତି ରିଟେଲର । ଯାହା ଦର ବୃଦ୍ଧିର କାରଣ ପାଲଟିଛି ।

ଦେଶରେ ଏହି ସବୁ ଜିନିଷର ଚୋରି ବୃଦ୍ଧି ପାଉଥିବା ସହ ସଂଗଠିତ ଅପରାଧମାନ ଘଟୁଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରିଟେଲର ଓ୍ବାଲମାର୍ଟ ଆଣ୍ଟ ଟାର୍ଗେଟ, ସିଭିଏସ, ଓ୍ବାଲଗ୍ରୀନ, ହୋମଡିପୋ, ଜୋତା ବିକ୍ର ସଂସ୍ଥା ଫୁଟ ଲକର । ଚୋରିକୁ କେନ୍ଦ୍ର କରି ବହୁ ହିଂସା ଘଟୁଥିବାରୁ ଏହି ସଂସ୍ଥାମାନେ ଉଦବେଗ ପ୍ରକାଶ କରିଛନ୍ତି । ଦେଶରେ ସଂଗଠିତ ଖୁଚୁରା ଅପରାଧ ଓ ଚୋରି ଆଦି ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ସ୍ପୋର୍ଟିଂ ଗୁଡସର ସିଇଓ ଲରେନ ହୋବାର୍ଟ ।

ଚଳିତବର୍ଷର ପ୍ରଥମ ୫ ମାସରେ ଆମେରିକାରେ ଥିବା ଏହି ସଂସ୍ଥାଗୁଡିକରେ ଚୋରି ସଂଖ୍ୟା ୧୨୦ ପ୍ରତିଶତ ବୃଦ୍ଧି ପାଇଛି । ନ୍ୟାସନାଲ ରିଟେଲ ଫେଡେରେସନର ରିପୋର୍ଟ ଅନୁସାରେ ୨୦୨୨ରେ ରିଟେଲର ସଂସ୍ଥାମାନେ ଚୋରି, ଦୋକାନରୁ ଲୁଟ, ପ୍ରଶାସନିକ ତ୍ରୁଟି ଆଦି କାରଣରୁ ୯୪.୫ ବିଲିୟନ ଡଲାର କ୍ଷତିରେ ପଡିଥିଲେ । ଚୋରଙ୍କ ଦାଉରୁ ରକ୍ଷା କରିବା ଲାଗି ଦୋକାନୀମାନେ ରେଫ୍ରିଜେରେଟରରେ ପ୍ୟାଡଲକଡ ଚେନ ଲଗାଇବା ସହ ଅନ୍ୟାନ୍ୟ ମାଧ୍ୟମ ଆପଣାଉଛନ୍ତି । ଓ୍ବାଶିଂଟନ ସୁପର ମାର୍କେଟରେ ବି ଚୋରି ଓ ହିଂସା ବଢୁଥିବା ସୂଚନା ମିଳିଛି । ଗତ ଅଗଷ୍ଟ ୧୨ ତାରିଖରେ ଲସ ଏଞ୍ଜେଲସରେ ନର୍ଡଷ୍ଟର୍ମ ଷ୍ଟୋରରେ ପ୍ରାୟ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ୩ ଲକ୍ଷ ଡଲାରରୁ ଅଧିକ ମୂଲ୍ୟର ସାମଗ୍ରୀ ଲୁଟ୍ କରିଥିଲେ ।