ନନ୍ଦିଘୋଷ ବ୍ୟୁରୋ ; ଆସନ୍ତାକାଲି ଆସିବ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ। ପ୍ରଥମ ଥର ପାଇଁ ରବିବାରରେ ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନବମ ଥର ପାଇଁ ନିର୍ମଳା ବଜେଟ ଆଗତ କରିବେ। ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଲୋକଙ୍କ ଅଧିକ କ୍ରୟଶକ୍ତି ବୃଦ୍ଧି କରିବା ପାଇଁ କଣ ପଦକ୍ଷେପ ନେଉଛନ୍ତି। ଆୟକରାଦାତାଙ୍କୁ ଟିକସ ଛାଡ଼ ସୀମା ଅଧିକ ମିଳିବ କି? ନିମ୍ନ ମଧ୍ଯବିତ୍ତଙ୍କ ପାଇଁ ସଞ୍ଚୟ ପାଇଁ କିଛି ବାଟ ବାହାରିବ କି? ଟିକସରେ ରିହାତି ଦେଇ ଦରଦାମ ବୃଦ୍ଧିକୁ ରୋକିବାକୁ କିଛି ନୂଆ ଘୋଷଣା ହେବ କି? କେନ୍ଦ୍ର ବଜେଟକୁ ନେଇ ସାଧାରଣ ଲୋକଙ୍କ ଭିତରେ ଏପରି ଅନେକ କଳ୍ପନାଜଳ୍ପନା। ସେହିପରି ବଜେଟକୁ ନେଇ ଆଶା ଆଶଙ୍କାରେ ଶିଳ୍ପ ସମୁଦାୟ, ରିଅଲ ଇଷ୍ଟେଟ କ୍ଷେତ୍ର, ଏମଏସଏମଇ, ଅଟୋ, ଇଲେକ୍ଟ୍ରୋନିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ପ୍ରଯୁକ୍ତି ବିଦ୍ଯାକ୍ଷେତ୍ର I ଆମେରିକାର ଟାରିଫ, ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସକୁ ଦୃଷ୍ଟିରେ ରଖି ଶିଳ୍ପ ପ୍ରତି ବିଶେଷ ସହାୟତା ଦେବା ଲାଗି ବିଭିନ୍ନ ମହଲରୁ ଆସିଛି ପ୍ରସ୍ତାବ I ମେକ ଇନ ଇଣ୍ଡିଆ କ୍ଷେତ୍ରରେ ଶୁଳ୍କଗତ ପରିବର୍ତ୍ତନ ଲାଗି ରଖାଯାଇଛି ଆଶା I ବିଶ୍ବସ୍ତରରେ ପ୍ରତିଯୋଗିତା କରିବା ଲାଗି ଶିଳ୍ପ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦେବା ଲାଗି ଦାବି ହୋଇଛି I ସେହିପରି ଇଭି, ସୌର ଯନ୍ତ୍ରପାତି, ପ୍ରତିରକ୍ଷା, ପ୍ରସ୍ତୁତି, ସେମିକଣ୍ଡକ୍ଟର କ୍ଷେତ୍ରକୁ ଗୁରୁତ୍ବ ଦେବା ଲାଗି ପ୍ରସ୍ତାବ ଦିଆଯାଇଛି I ପ୍ରତିଯୋଗିତା ବୃଦ୍ଧି, ଧାରାବାହିକ ଯୋଗାଣ, ଦୀର୍ଘସୂତ୍ରୀ ଟିଭି ମାନୁଫାକ୍ଚରିଂ କ୍ଷେତ୍ରକୁ ବି ଗୁରୁତ୍ବ ଦେବାକୁ ହୋଇଛି ଦାବି I ବାଣିଜ୍ୟଗତ ପ୍ରତିବନ୍ଧକ ହଟାଇବା, ଅକ୍ଷୟ ଶକ୍ତିର ବିକାଶ, ହାଇଟେକ ଅଟୋମେସନ, ଡିଜିଟାଲ ଟ୍ରାନ୍ସଫର୍ମେସନ, ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼଼ କରିବା ଲାଗି ବଜେଟରେ ପଦକ୍ଷେପ ନେଇପାରନ୍ତି ଅର୍ଥମନ୍ତ୍ରୀ I

