ଆସନ୍ତାକାଲି ଛେନାପୋଡ଼ ଦିବସ: କାହା ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଏ ଓ କାହିଁକି ?

ନନ୍ଦିଘୋଷ ବ୍ୟୁରୋ: ଛେନାପୋଡ଼ କଥା ଆସିଲେ ସମସ୍ତଙ୍କ ପାଟିରୁ ଲାଳ ଗଡ଼ିଯାଏ । ଛେନାରେ ତିଆରି ଏହି ସୁସ୍ୱାଦୁ ମିଠା ଆମ ଓଡ଼ିଶାର ନୟାଗଡ଼ରୁ ସୃଷ୍ଟି । ନୟାଗଡ଼ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଅନେକ ପ୍ରୟାସ । ଏପ୍ରିଲ ୧୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ଜାଣିଛନ୍ତି କି ଜଣେ ବ୍ୟକ୍ତିଙ୍କ ଜନ୍ମଦିନକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ତେବେ ଆସନ୍ତୁ ଜାଣିବା କିଏ ଏହି ବ୍ୟକ୍ତି ଓ ତାଙ୍କ ଜନ୍ମଦିନ କାହିଁକି ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି ।

ରାତି ପାହିଲେ ଛେନାପୋଡ଼ ଦିବସ । ମିଠା ଦୋକାନରେ ସଜେଇ ହୋଇ ରଖଯାଇ ସାରିଛି ଭିନ୍ନ ଭିନ୍ନ ସାଇଜର ଛେନାପୋଡ଼ । ସାରା ରାଜ୍ୟରେ ଛେନାପୋଡ଼ ଦିବସକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ । ଅଳ୍ପ ହେଉ କି ବହୁତ, କାଲି ଟିକେ ଛେନାପୋଡ଼ ଘରକୁ ନେବାକୁ ସମସ୍ତେ ଅନାଇ ବସିଛନ୍ତି । ତେବେ ଜାଣିଛନ୍ତି କି ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି । ଏହି ସୁସ୍ବାଦୁ ମିଠାକୁ ସ୍ବ;ଜତ ସାହୁ ହିଁ ନିଜ ହାତରେ ପ୍ରଥମ ରୂପ ଦେଇଥିଲେ । ତେଣୁ ତାଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି ।

ସେପଟେ ଉତ୍ସବ ପାଳନ ପାଇଁ ନୟାଗଡ଼ରେ ଜୋରଦାର ପ୍ରସ୍ତୁତି ଚାଲିଛି । ଛେନାପୋଡ଼ ପ୍ରସ୍ତୁତି ପାଇଁ ପ୍ରଥମେ ଖୀରରୁ ଛେନା ସଂଗ୍ରହ କରାଯାଏ । ଏହାପରେ ଛେନାରେ ଆବଶ୍ୟକ ଅନୁଯାୟୀ ଚିନି, ସୁଜି, କାଜୁ ଓ ଗୁଜୁରାତି ଇତ୍ୟାଦି ମିଶାଇ ଏକ ରସପାତ୍ରରେ କଡ଼ା ନିଆଁ ଆଞ୍ଚରେ ବସାଇ ଦିଆଯାଏ । କିଛି ସମୟ ଆଞ୍ଚରେ ପୋଡ଼ି ହେଲା ପରେ ପ୍ରସ୍ତୁତ ହୋଇଥାଏ ଛେନାପୋଡ଼ । ଭାଗମାପରେ କିଛି ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଙ୍କା ରହିଛି ।

ନୟାଗଡ଼ ଛେନାପୋଡ଼ ଏବେ ଅନେକଙ୍କ ବ୍ୟବସାୟର ମାଧ୍ୟମ ପାଲଟିଛି । ନୟାଗଡ଼ ଛେନାପୋଡ଼ର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି । ହେଲେ ଆଜିଯାଏଁ ଛେନାପୋଡ଼କୁ ଜିଆଇ ଟ୍ୟାଗ ମିଳିପାରିନାହିଁ ।

୧୯୪୭ ମସିହାରେ ସୁଦର୍ଶନ ସାହୁ ପ୍ରଥମେ ନିଜ ଗାଁ ଦଶପଲ୍ଲା ସାତପାଟଣାରୁ ଆସି ନୟାଗଡ଼ ବଜାରରେ ମିଠା ଦୋକାନଟିଏ କରିଥିଲେ । ଦିନେ ତାଙ୍କର କିଛି ଛେନା ବଳି ପଡ଼ିଥିଲା । ବଳକା ଛେନାକୁ କ’ଣ କରିବେ ଭାବୁ ଭାବୁ, ହଠାତ୍ ଗୋଟିଏ ଅଜବ ବୁଦ୍ଧି ତାଙ୍କ ମୁଣ୍ଡକୁ ଜୁଟିଥିଲା । ବିରି ପୋଡ଼ପିଠା ଭଳି ଛେନାରେ କିଛି ଚିନି ଓ ଚାଉଳ ଚୁନା ମିଶାଇ ତାହାକୁ ଚକଟି କଦଳୀପତ୍ରରେ ଗୁଡ଼ାଇ ରାତିରେ ନିଆଁ ଆଞ୍ଚରେ ବସାଇ ଦେଇଥିଲେ । ସକାଳକୁ ତାହା ବେଶ୍ ସ୍ଵାଦିଷ୍ଟ ଲାଗିବା ସହିତ ପରବର୍ତ୍ତୀ ଅବସ୍ଥାରେ ମିଠା ଜଗତରେ ମଉଡ଼ମଣି ‘ଛେନାପୋଡ଼’ ପାଲଟିଗଲା ।

ଛେନାପୋଡ଼ ଓଡ଼ିଆଙ୍କ ପ୍ରିୟ ମିଠାଖାଦ୍ୟ । ଓଡିଶାବାସୀଙ୍କ ଗର୍ବ ଓ ଗୌରବ ପାଲଟିଥିବା ଛେନାପୋଡ଼କୁ ଜିଆଇ ଟ୍ୟାଗ ବା ଭୌଗଳିକ ସ୍ବୀକୃତି ପାଇଁ ଦାବି ହୋଇ ଆସୁଛି । ହେଲେ ଏହି ଦାବି କେବେ ପୂରଣ ହେବ ଦେଖିବାକୁ ବାକି ରହିଲା ।