କଂଗ୍ରେସ ଭବନ ଆଗରେ ଗଣ୍ଡଗୋଳ ଘଟଣା: କାଲି କମିଶନରେଟ ପୋଲିସ ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: କଂଗ୍ରେସ ଭବନ ସାମ୍ନାରେ ମଙ୍ଗଳବାରର ଗଣ୍ଡଗୋଳ ଘଟଣା ନେଇ କଂଗ୍ରେସର କଡ଼ା ଆଭିମୁଖ୍ଯ। ଆସନ୍ତାକାଲି କମିଶନରେଟ ପୋଲିସ ଅଫିସ ଘେରାଉ କରିବାକୁ ଦଳ ସଜବାଜ ହେଲାଣି। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି, ଏଯାଏ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯାଇ ନାହିଁ। ତେଣୁ ଛାତ୍ର କଂଗ୍ରେସ ତରଫରୁ ଆସନ୍ତାକାଲି ପ୍ରତିବାଦ କରାଯିବ।

ସେପଟେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଦୋଷୀଙ୍କୁ ଗିରଫ କରାନଗଲେ ବିଜେପି ଅଫିସରେ ଆମେ ପଶିବୁ। ଶାସନକୁ ଆସୁ ଆସୁ ଗଣତନ୍ତ୍ରକୁ ହତ୍ଯା କରିଛି ବିଜେପି। ଦୋଷୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରି ଆସନ୍ତାକାଲି ସବୁ ଏସପି ଅଫିସ ଘେରାଉ କରାଯିବ। ମଙ୍ଗଳବାର ସଂଧ୍ଯା ପ୍ରାୟ ୬ଟାରେ ଭୁବନେଶ୍ବର ମାଷ୍ଟର କ୍ଯାଣ୍ଟିନ ଛକରେ ଥିବା କଂଗ୍ରେସ ଭବନ ଆଗରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ କର୍ମୀ। ଏପରିକି ଉଭୟ ପକ୍ଷରୁ ହୋଇଥିଲା ଟେକା ପଥର ମାଡ଼। ଦୁଇ ଦଳର କିଛି କର୍ମୀ ଆହତ ହୋଇଥିବା ବି କୁହାଯାଇଥିଲା। ସଂସଦରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ଯର ପ୍ରତିବାଦ କରି ବିଜେପି କର୍ମୀ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରୁଥିବା ବେଳେ ସୃଷ୍ଟି ହୋଇଥିଲା ଅପ୍ରୀତିକର ପରିସ୍ଥିତି। କଂଗ୍ରେସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିପାଇଁ ପରସ୍ପରକୁ ଦାୟୀ କରିଥିଲେ ଦୁଇ ଦଳର କର୍ମୀ।