ରାତିପାହିଲେ ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା ; ରକ୍ତରଞ୍ଜିତ ହେବ ପୀଠ

ବଲାଙ୍ଗୀର : ଆସନ୍ତାକାଲି ପ୍ରସିଦ୍ଧ ଶୁଲିଆ ଯାତ୍ରା  । ବଲାଙ୍ଗୀର ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ  । ଏନେଇ ଆଞ୍ଚଳିକ ଶୁଲିଆ ଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ତିନି ଦିନ ଧରି ଶୁଲିଆ ମହୋତ୍ସବ ଅନୁଷ୍ଠିତ ହେଉଛି  । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୁଲିଆ ପୀଠ ଖଇରଗୁଡ଼ାରେ ଆଦିବାସୀମାନେ ପାରମ୍ପରିକ ପର୍ବ ପାଳନ କରିବେ  ।

ଆଦିବାସୀ ପରମ୍ପରା ଅନୁସାରେ ଯାତ୍ରା ସମୟରେ ବଳି ପଡିବ। ବଳିପ୍ରଥା ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ବୈଠକରେ ଅନୁରୋଧ କରିଥିଲେ। ହେଲେ ବଳି ନେଇ ଜିଦରେ ଅଟଳ ରହିଛି ଶୁଲିଆ ଯାତ୍ରା କମିଟି  । ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ବଳି ପଡିବ। ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ  । ଭୋରରୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥାନ୍ତି  । ପୀଠରେ ନିଶିପୂଜା ପରେ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥାଏ  । ମାନସିକଧାରୀ ମାନେ ଆଣିଥିବା ପୋଢ଼, ବେତା, ମେଣ୍ଢା, କୁକୁଡ଼ା, ବତକ ଶହ ଶହ ସଂଖ୍ୟରେ ବଳି ଦିଆଯାଇଥାଏ  । ପଶୁପକ୍ଷୀଙ୍କ ରକ୍ତରେ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳା ରକ୍ତରଞ୍ଜିତ ହୁଏ  ।

ବଳିପ୍ରଥା ବନ୍ଦ କରିବା ପାଇଁ ପୂର୍ବରୁ କିଛି ସ୍ବେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଇଥିଲା  । କିଛି ବର୍ଷ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଳିପ୍ରଥା ବନ୍ଦ କରିବାକୁ ଯାତ୍ରା ସ୍ଥଳରେ ୧୪୪ଧାରା ଜାରି କରାଯାଇଥିଲା  । ତେବେ ୨୦୧୫ ଡିସେମ୍ବର ୨୯ତାରିଖରେ ସୁପ୍ରିମକୋର୍ଟ ରାୟରେ ଆଦିବାସୀଙ୍କ ପରମ୍ପରାରେ କେହି ହସ୍ତକ୍ଷେପ ପରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ  । ତାପରଠାରୁ ପ୍ରତିବର୍ଷ ଶୁଲିଆ ପୀଠରେ ପଶୁ ବଳି ପଡ଼ିଆସୁଛି । ପୋଲିସ ପ୍ରଶାସନ ପକ୍ଷରୁ ଯାତ୍ରାସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ଜଣେ ମାଜିଷ୍ଟ୍ରେଟ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ବ୍ୟବସ୍ଥା କରାଯାଇଛି  ।