ପଦମପୁର ଉପନିର୍ବାଚନ: ରାତି ପାହିଲେ ଭୋଟ, ବଢୁଛି ହୃଦସ୍ପନ୍ଦନ

1 min read

ପଦମପୁର: କିଏ ପିନ୍ଧିବ ପଦମପୁର ମୁକୁଟ ? ଆସନ୍ତାକାଲି ଭୋଟ୍ ଦେବ ପଦମପୁର । ପ୍ରିୟ ବିଧାୟକ ବାଛିବେ ଜନତା । ସମୟ ଗଡ଼ିବା ସହ ବଢ଼ିବାରେ ଲାଗିଛି ହୃଦସ୍ପନ୍ଦନ । ପଦମପୁର ଜନତା ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଭୋଟ ଦେବାକୁ ମନସ୍ତ କରିସାରିଛନ୍ତି । ତଥାପି ଆସନ୍ତାକାଲି ଭୋଟିଂ ପରେ ଭୋଟ ଗଣତିକୁ ରହିଛି ସମସ୍ତଙ୍କ ଅପେକ୍ଷା ।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ । ନିର୍ବାଚନ ମଣ୍ଡଳୀରେ ପାଇକମାଳ, ପଦମପୁର, ଝାରବନ୍ଧ ୩ଟି ବ୍ଲକ ଥିବା ବେଳେ ମୋଟ ୫୮ଟି ପଞ୍ଚାୟତ ରହିଛି । ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୫୭ ହଜାର ୪୭୪ ଜଣ ଭୋଟର ରହିଛନ୍ତି । ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୯୬୫ ହୋଇଥିବାବେଳେ ପୁରୁଷ ଭୋଟର ରହିଛନ୍ତି ୧ ଲକ୍ଷ ୨୯ ହଜାର ୪୯୭ । ୩୧୯ଟି ବୁଥ  ଭିତରୁ ୭୯ ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି I ସେହି ବୁଥ୍ ଗୁଡିକ ସିସିଟିଭି ନିୟନ୍ତ୍ରଣରେ ରହିଛି  I

ନିର୍ବାଚନ ମଣ୍ଡଳୀରେ ୬ଟି ପିଙ୍କ ବୁଥ୍ ହୋଇଥିବା ବେଳେ ୧୫ଟି ମଡେଲ୍ ବୁଥ୍ କରାଯାଇଛି । ମାଓ ପ୍ରବଣ ଅଞ୍ଚଳରେ ବ୍ଯାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି I ନିର୍ବାଚନୀ ହିଂସା ଘଟାଇବା ଲାଗି ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି । ଗତକାଲି ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ଏସପିଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ ହୋଇଛି ।

ଏପଟେ ଆସନ୍ତାକାଲି ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଭୋଟିଂ ଟିମ୍ ନିଜ ନିଜ କେନ୍ଦ୍ରକୁ ଯିବାକୁ ପ୍ରସ୍ତୁତି ଚଲାଇଛନ୍ତି ।