ପ୍ରସ୍ତୁତି ଶେଷ, ରାତି ପାହିଲେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା

ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନ ବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଦୁଲ୍ଲଭ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ଶ୍ରଦ୍ଧାଳୁ ଦେଖିବେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନଯାତ୍ରା । ମଙ୍ଗଳାର୍ପଣ ପରେ ଭୋର ୫ଟାରୁ ୭ଟା ମଧ୍ଯରେ ଧାଡ଼ି ପହଣ୍ଡିରେ ଆସିବେ ଶ୍ରୀଜିଉ । ସେନାପଟା ଲାଗି କରାଯାଇଥିବାବେଳେ ସ୍ନାନ ଯାତ୍ରା ପାଇଁ ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଛି । ନୀତିକାନ୍ତିକୁ ଅତ୍ୟନ୍ତ ଶୃଙ୍ଖଳିତ କରାଯିବାକୁ ଲକ୍ଷ୍ଯ ରଖାଯାଇଥିବା ବେଳେ ଶୃଙ୍ଖଳିତ ଓ ସୁରକ୍ଷିତ ଯାତ୍ରା ସମାପନ ପାଇଁ ସାଧାରଣ ଭକ୍ତଙ୍କ ସହଯୋଗ ଲୋଡିଛି ପ୍ରଶାସନ । ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ନେଇ ସ୍ୱତନ୍ତ୍ର ସେଡ କରାଯାଇଥିବା ବେଳେ ବ୍ୟାପକ ପାନୀୟ ଜଳ ଯୋଗାଣ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ସୁବାଶିତ ଜଳରେ ସ୍ନାନ କରିବେ ମହାପ୍ରଭୁ । ଏହାପରେ ଗଜାନନ ବେଶରେ ଦର୍ଶନ ଦେବେ । ଏହି ଦୁଲ୍ଲଭ ବେଶ ଦର୍ଶନ ପାଇଁ ରାଜ୍ଯ ତଥା ରାଜ୍ଯ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ଧୀରେ ଧୀରେ ଶ୍ରୀକ୍ଷେତ୍ର ଜନସମୁଦ୍ର ପାଲଟିଲାଣି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ୱତନ୍ତ୍ର ଜୋନ ଗଠନ କରାଯାଇ ପୋଲିସ ଫୋର୍ସ ମୁତୟନ କରାଯାଇଛି  । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ନେଇ ୪ ଜଣ ଏସପି ପାହ୍ୟା ଅଧିକାରୀଙ୍କ ସମେତ ୬୦ ପ୍ଲାଟୁନରୁ ଊର୍ଦ୍ଧ୍ବ ପୋଲିସ ନିୟୋଜିତ ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସିସିଟିଭି ନଜରରେ ରହିଛି ସମଗ୍ର ସହର । ଶ୍ରୀମନ୍ଦିର ଭିତରେ ଓ ବାହାରେ ରହିବ ପ୍ରହରା । ପ୍ରତିବନ୍ଧକ ବିହିନ ଦର୍ଶନ ପାଇଁ ସେବାୟତଙ୍କୁ ସାମ୍ନାକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି ।