ନନ୍ଦିଘୋଷ ବ୍ୟୁରୋ : ତାମିଲନାଡୁରେ ବଡ଼ ଲଢେଇ । ଡିଏମ୍କେ , ବିଜେପି ଓ ଆଇଏଡିଏମ୍କେ, ଟିଭିକେ ମଧ୍ୟରେ ଏଥର ଫାଇଟ । ମହିଳାଙ୍କ ବିରୋଧରେ ଅପରାଧ ବଢ଼ିବା ନେଇ ବିରୋଧୀ ଦଳ ଶାସକ ଡିଏମ୍କେ ଉପରେ ଆକ୍ରମଣ କରୁଛି । ବିରୋଧୀମାନେ ଡିଏମ୍କେ ସରକାରରେ ବ୍ୟାପକ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ କରୁଛନ୍ତି। ଯୁବକମାନଙ୍କ ପାଇଁ ଚାକିରି ସୃଷ୍ଟି ନେଇ ବଡ଼ ପ୍ରଶ୍ନ ବି ରହିଛି । ଡିଏମ୍କେ ମହିଳାଙ୍କୁ ମାସିକ ଭତ୍ତା , ଫ୍ରି ବସ୍, ବ୍ରେକଫାଷ୍ଟ ସ୍କିମ୍ ଆଦି ଯୋଜନା ଉପରେ ଜୋର୍ ଦେଉଛି । ଡିଏମ୍କେ ଡ୍ରାଭିଡ଼ିୟାନ୍ ମଡେଲ୍ ଓ ତାମିଲ ପରିଚୟ ରକ୍ଷା କରୁଛି ବୋଲି ଦାବି କରୁଛି । ବିଜେପି ସହ ଆଇଏଡିଏମ୍କେ ମେଣ୍ଟକୁ ନେଇ ଡିଏମ୍କେ କହୁଛି ,ଏହା ତାମିଲନାଡୁକୁ ବିଭକ୍ତ କରିବ । ଅଭିନେତା ବିଜୟଙ୍କ ଟିଭିକେ ଯୁବ ଭୋଟରଙ୍କୁ ଆକର୍ଷିତ କରୁଛି।
ସେପଟେ ଆସନ୍ତାକାଲି ତାମିଲନାଡୁ ବିଧାନସଭା ନିର୍ବାଚନ। ସମୁଦାୟ ୨୩୪ ଆସନ ଲାଗି ୪ ହଜାର ୨୦୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରାୟ ୫ କୋଟି ୬୮ ଲକ୍ଷ ଭୋଟର। ଗତକାଲି ପ୍ରଚାରର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ, ଉପମୁଖ୍ୟମନ୍ତ୍ରୀ ଉଦୟନିଧି, ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୁପରଷ୍ଟାର ତଥା ଟିଭିକେ ମୁଖ୍ୟ ବିଜୟ ପ୍ରମୁଖ ପ୍ରଚାର କରିଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଅଟୋରେ ପ୍ରଚାର କରିବା ସହ ନିର୍ବାଚନ ପ୍ରଚାର ବେଳେ ଆଖୁ ରସ ପିଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଚଳିତ ନିର୍ବାଚନ ମୁଖ୍ୟମନ୍ତ୍ରୀ ଏମ. କେ. ଷ୍ଟାଲିନଙ୍କ ଲାଗି ଅଗ୍ନିପରୀକ୍ଷା l ଏଥର ବି କୋଲଥୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ଷ୍ଟାଲିନ l ତାଙ୍କ ବିରୋଧରେ ଏଆଇଏଡିଏମକେରୁ ପ୍ରାର୍ଥୀ ହୋଇଛନ୍ତି ଆଦି ରାଜାରାମ। ଏହି ଆସନରୁ ଷ୍ଟାଲିନ ଗତ ୨୦୧୧ରୁ ବିଜୟ ଲାଭ କରିଆସୁଛନ୍ତି l ୨୦୧୧, ୨୦୧୬ ଓ ୨୦୨୧ ବିଧାନସଭା ନିର୍ବାଚନରେ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ l ଏହି ଆସନରେ ବିଜେପିର ସ୍ଥିତି ପ୍ରାୟ ନଥିବାବେଳେ ତିନି ଥର ଯାକ ସେ ଏଆଇଏଡିଏମକେ ପ୍ରାର୍ଥୀଙ୍କୁ ପରାସ୍ତ କରିଆସିଛନ୍ତି l
ଦ୍ବିତୀୟ ଥର ଲାଗି ନିର୍ବାଚନ ମଇଦାନରେ ଡିଏମକେ ପ୍ରାର୍ଥୀ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ତଥା ସର୍ବକନିଷ୍ଠ ପୁଅ ଉଦୟନିଧି ଷ୍ଟାଲିନ l ଏଥର ବି ସେ ଚେପାକ-ତିରୁବାଲିକେନି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି l ୨ଟି ଆସନରୁ ଲଢୁଛନ୍ତି ସୁପରଷ୍ଟାର ବିଜୟ। ପେରାମ୍ବୁର ଓ ତିରୁଚିରାପଲ୍ଲୀ ଇଷ୍ଟରୁ ପ୍ରାର୍ଥୀ ହୋଇଛନ୍ତି ସୁପରଷ୍ଟାର ବିଜୟ। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଏଲ. ମୁରୁଗାନ ଅବାନାଶୀରୁ ପ୍ରାର୍ଥୀ ହୋଇଥିବାବେଳେ ଧର୍ମପୁରୀ ଆସନରୁ ଲଢୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ଡକ୍ଟର ଅମ୍ବୁମଣି ରାମଦୋସଙ୍କ ପତ୍ନୀ ଡକ୍ଟର ସୋମିୟା ଅମ୍ବୁମଣି l ମାୟଲାପୁରରେ ବିଜେପିରୁ ଲଢୁଛନ୍ତି ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ।

