ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ, ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ସପ୍ତମୀ ତିଥିରେ ନେତ ଉତ୍ସବ ଅବସରରେ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତୀ ପରେ ମରିଚି କୁଣ୍ଡରୁ ପ୍ରଥମ ଗରା ପାଣି ଆଣି ପୂଜା କରାଯିବ ସହ ରଥ ପ୍ରତିଷ୍ଠା ହେବ । ପରେ ଏହି ପାଣିକୁ ନିଲାମ କରାଯିବ । ବିଶ୍ବାସ ରହିଛି, ମରିଚି କୁଣ୍ଡର ପାଣିକୁ ସେବନ କଲେ ନିଃସନ୍ତାନ ନାରୀ ସନ୍ତାନ ଲାଭ କରିଥାନ୍ତି । ରଥ ପ୍ରତିଷ୍ଠା କାର୍ଯ୍ୟ ପାଇଁ ପୁରୀରୁ ରାଜଗୁରୁ ଆସି ରଥ ପ୍ରତିଷ୍ଠା କରିବାର ବିଧି ରହିଛି । ଚଳିତ ବର୍ଷ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଆଜି ରଥରେ ନେତ ଲାଗି ହେବା ସହ ରଥ ପ୍ରତିଷ୍ଠା କରାଯିବ । ଆସନ୍ତାକାଲି ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଆରମ୍ଭ ହୋଇ ୫ ଦିନ ଧରି ଚାଲିବ । ଏଥିପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ୧୨ଟାରେ ମଙ୍ଗଳା ଆଳତୀ, ୨ଟାରେ ଭୋଗ ଲାଗି ଓ ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥଟଣା ଆରମ୍ଭ ହେବ । ରୁକୁଣା ରଥଯାତ୍ରା ସୁରୁଖୁରୁରେ ତଥା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ, ପୋଲିସ ଓ ବିଏମସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଶେଷ ହୋଇଥିବା ବେଳେ, ସମସ୍ତଙ୍କ ସହଯୋଗ ଲୋଡିଛି ପ୍ରଶାସନ ।