ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାବାସୀ କାଲି ପାଇବେ ସ୍ମାର୍ଟ ସ୍ବାସ୍ଥ୍ୟସେବା

ଭୁବନେଶ୍ବର: ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯାଉଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ସେବା । ଲୋକେ ହେଉଛନ୍ତି ଉପକୃତ । ଗରିବ ଲୋକଙ୍କ ମଧ୍ୟରେ ଅର୍ଥାଭାବରୁ ଚିକିତ୍ସା କରାଇ ନପାରିବାର ଭୟ ଦୂର ହେବାରେ ଲାଗୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସଫଳ ଯୋଜନା ଗରିବଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହେଉଛି । ଏହି ପରିପେକ୍ଷୀରେ ଆସନ୍ତାକାଲି ଦୁଇ ଜିଲ୍ଲା ଅନୁଗୁଳ ଓ ଢେଙ୍କାନାଳରେ ଆରମ୍ଭ ହେବାକୁ ଯାଉଛି ସ୍ମାର୍ଟ ହେଲଥ କାର୍ଡ ସେବା ।

ମୁଖ୍ୟମନ୍ତ୍ରୀ ଦୁଇ ଜିଲ୍ଲାକୁ ଗସ୍ତ କରି ସେଠାରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ସଭାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ । ଏହାସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ପରେ ମଧ୍ୟାହ୍ନ ୧୨ଟାରେ ଢେଙ୍କାନାଳ ମେନ୍ ଷ୍ଟାଡିୟମରେ ପହଞ୍ଚି ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ । ଜିଲ୍ଲାର ପ୍ରାୟ ୯ ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିବା ସହ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ମିନି ଷ୍ଟାଡିୟମ ପଡିଆରେ ଏନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମିନି ଷ୍ଟାଡିୟମ ଚାରିପାଖରେ ସ୍ୱତନ୍ତ୍ର ବ୍ୟାରିକେଡ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରବେଶକୁ ବାରଣ କରାଯାଇଥିବା ବେଳେ ୧୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

Leave a Reply