କାଲି ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଲାଗିବ ଭିଡ଼

କୋଣାର୍କ: ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ଚନ୍ଦ୍ରଭାଗା ପୀଠ । ପ୍ରତ୍ଯୁଷରୁ ହେବ ଚନ୍ଦ୍ରଭାଗା ବୁଡ । ୩ ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ଚନ୍ଦ୍ରଭାଗାରେ ବୁଡ ପକାଇବେ ସାଧୁସନ୍ଥ ଓ ଭକ୍ତ । ଆାଜିଠାରୁ କୋଣାର୍କରେ ଲାଗିଲାଣି ଲକ୍ଷାଧିକ ଭକ୍ତଙ୍କ ସମାଗମ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ବୁଡ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ଯାପକ ବ୍ଯବସ୍ଥା ।

ପରମ୍ପରା ଅନୁଯାୟୀ ମାଧିପୁରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିନେଶ୍ବର ମହାଦେବ ୩ ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁସନ୍ଥ ଓ ଭକ୍ତ ବୁଡ ପକାଇବେ । ପୌରାଣିକ ମତାନୁସାରେ ମାଘ ସପ୍ତମୀ ଦିନ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଶ୍ରଦ୍ଧାଳୁ ନିଜ ପରିବାରକୁ ରୋଗ ମୁକ୍ତ ରଖିବା ପାଇଁ ଏହି ତୀର୍ଥରେ ବୁଡ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି ।

ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଡକୁ ଶୃଙ୍ଖଳିତ କରିବା ପାଇଁ ତୀର୍ଥ ପୁଷ୍କରଣୀ ଖନନ କରାଯାଇଛି । ଏଥିସହ କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ଜଳର ବିଶୋଦ୍ଧନ ପାଇଁ ବ୍ଲିଚିଂ ମଧ୍ଯ ପକାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀର ଚତୁଃପାର୍ଶ୍ଵ ଏବଂ ପାର୍କିଂ ସ୍ଥାନରେ ବ୍ଯାରିକେଡ ନିର୍ମାଣ କରାଯାଇଛି । ପରିମଳ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ମେଳା ପଡିଆ ଓ କୋଣାର୍କ ବସ ଷ୍ଟାଣ୍ଡରେ ୧୦୦ରୁ ଊର୍ଦ୍ଧ୍ଵ ଅସ୍ଥାୟୀ ପାଇଖାନା ନିର୍ମାଣ କରାଯାଇଛି । ନିରବିଚ୍ଛିନ୍ନ ବିଦ୍ଯୁତ ସରବରାହ ପାଇଁ ୩ଟି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଜେନେରେଟର ବ୍ୟବସ୍ଥା କରାଯାଇଛି । ମାଘ ବୁଡ଼ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ପୁରୀ ଜିଲ୍ଲାପାଳ ମେଳା ପଡ଼ିଆ ଓ ତୀର୍ଥ ପୁଷ୍କରଣୀର ସ୍ଥିତି ସମୀକ୍ଷା କରିଛନ୍ତି ।