ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଇଁ ଜିଲ୍ଲାରୁ ମୁଖ୍ୟାଳୟ ଯାଏଁ ବ୍ୟାପକ ପ୍ରସ୍ତୁତି, ନେତା ଓ କର୍ମୀଙ୍କୁ ଭର୍ଚୁଆଲରେ ଟିପସ୍‌ ଦେବେ ସୁପ୍ରିମୋ

1 min read

ଭୁବନେଶ୍ୱର: ଆସନ୍ତାକାଲି ୨୪ବର୍ଷରେ ପାଦ ଦେବ ବିଜୁ ଜନତା ଦଳ । ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାରେ ଥିବା ଏହି ଆଞ୍ଚଳିକ ଦଳର ପ୍ରତିଷ୍ଠା ଦିବସ ରାଜ୍ୟ ଓ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ସମୃଦ୍ଧ ଓଡ଼ିଶା ଗଠନ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିତ୍ର ଦେଖାଇଛନ୍ତି, ତାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ପ୍ରତିଷ୍ଠା ଦିବସରେ ଖସଡ଼ା ପ୍ରସ୍ତୁତ କରାଯିବ । କରୋନା କଟକଣା ଭିତରେ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ ।

ଯୁବ ବିଜେଡି କାର୍ଯ୍ୟକାରିଣୀ: କେନ୍ଦ୍ରର ଅବହେଳା ବିରୋଧରେ ରଣହୁଙ୍କାର ଦେଲେ ନବୀନ । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ: ଦୁର୍ନୀତି ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବାକୁ ବାଟ ଦେଖାଇଲେ ମୁଖ୍ୟମନ୍ତ୍ରୀ । ଛାତ୍ର ବିଜେଡି କାର୍ଯ୍ୟକାରିଣୀ: ଅପପ୍ରଚାରରୁ ଦୂରରେ ରହି ସଶକ୍ତ ଓଡ଼ିଶା ଗଠନ କରିବାକୁ ଆହ୍ୱାନ ଦେଲେ ଦଳର ସଭାପତି । ଏହାଛଡ଼ା କଳା ଓ ସଂସ୍କୃତିରେ ପରିପୂର୍ଣ୍ଣ ଓଡ଼ିଶାକୁ ସମୃଦ୍ଧ କରିବାର ଭିଜନକୁ ଲୋକଙ୍କ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ରୋଡ୍‌ମ୍ୟାପ୍‌ ଦଳୀୟ କର୍ମୀଙ୍କ ଆଗରେ ରଖିପାରନ୍ତି ନବୀନ ପଟ୍ଟନାୟକ ।

ଦୁର୍ନୀତି ବିରୋଧୀ ଲଢ଼େଇ ବା ଜିରୋ ଟଲରାନସ୍ ଏଗେନଷ୍ଟ କରପ୍‌ସନ୍ ଅଭିଯାନକୁ ଆହୁରି ବ୍ୟାପକ କରି ସ୍ୱଚ୍ଛ ପ୍ରଦେଶ ଗଠନ ପାଇଁ ମାର୍ଗ ଦେଖାଇବେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ । ଗତ ବର୍ଷକ ଭିତରେ ୯୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ଚାକିରିରୁ ବରଖାସ୍ତ ହୋଇଛନ୍ତି । ୬୦ରୁ ଅଧିକ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି । ଜନବିରୋଧୀ  କାର୍ଯ୍ୟ ପାଇଁ ନିଜ ଦଳର ବିଧାୟକଙ୍କୁ ବହିଷ୍କାର କରିବାର ସାହସ ଦେଖାଇଥିବା ମୁଖ୍ୟମନ୍ତ୍ରୀ ଭିଜନ- ୨୦୩୬ର ବିକାଶିତ ଓଡ଼ିଶାର ରୋଡ୍‌ମ୍ୟାପ୍‌ ରଖିବାର କାର୍ଯ୍ୟକ୍ରମ ସୂଚନା ମିଳିଛି ।

ଭୁବନେଶ୍ୱର ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଭର୍ଚୁଆଲରେ ରହି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି । ଗାଁ ଗାଁରେ ବିଜେଡି ସରକାରର ୨୦ ବର୍ଷର ସଫଳତା ବାର୍ତ୍ତା ପହଞ୍ଚାଇବା ନେଇ କାମ କରିବାର ମାର୍ଗ ଦେଖାଇବେ ନବୀନ । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ନିଆଯାଇଥିବା ନିଷ୍ପତ୍ତି ଓ ରୂପରେଖ ନେଇ ପ୍ରତିଷ୍ଠା ଦିବସରେ କାର୍ମୀଙ୍କୁ ଅବଗତ କରାଯିବ ।

ବିଜେଡି କାର୍ଯ୍ୟକାରିଣୀରେ ଦଳୀୟ ସଦସ୍ୟଙ୍କଠାରୁ ଦୁଇଟି ପ୍ରସ୍ତାବ ମାଗିଥିଲେ ନବୀନ । ଗୋଟାଏ ଦଳ ପାଇଁ,  ଅନ୍ୟଟି ସରକାରଙ୍କ ପାଇଁ । ଏପରି କରି କର୍ମୀ ଓ ସେମାନଙ୍କ ମତକୁ ସମ୍ମାନ ଜଣାଇ ଗଣତାନ୍ତ୍ରରେ ଅନନ୍ୟ ପରମ୍ପରା ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ପ୍ରତିଷ୍ଠା ଦିବସରେ ମଧ୍ୟ ସେପରି କିଛି ଦୃଷ୍ଟାନ୍ତ ରଖିବାର ଆଶା ଅଛି  ।

Leave a Reply