ସାରା ଦେଶରେ ଚାଷୀଙ୍କ ଚକା ଜାମ୍‌ ଡାକରା

Farmer Protest

ନୂଆଦିଲ୍ଲୀ: ଶନିବାର ସାରା ଦେଶରେ ହେବ ଚକା ଜାମ୍‌ । ବିଭିନ୍ନ ଚାଷୀ ସଂଗଠନ ଦେଇଛନ୍ତି ଚକା ଜାମ୍‌ ଡାକରା । ଶୁକବାରଠାରୁ ଆରମ୍ଭ ହୋଇସାରିଛି ରଣନୀତି । ସାରାଦେଶରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଚକା ଜାମ୍ କରାଯିବ । ସେହିଭଳି ଓଡ଼ିଶାରେ ମଧ୍ୟ କୃଷି ଆଇନକୁ ତେଜୁଛି ବିରୋଧ । ଶନିବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟର ୨୨ରୁ ୨୩ଟି ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ । ରାସ୍ତାରେ ବିକ୍ଷୋଭ କରିବା ସହ କେନ୍ଦ୍ର ସରକାର କୃଷକ ମାନଙ୍କ ଉପରେ କରୁଥିବା ଅତ୍ୟାଚାର ସଂପର୍କରେ ଲୋକଙ୍କୁ ବୁଝାଇବେ ସଂଗଠନର କର୍ମକର୍ତ୍ତା ।

ସେପଟେ ସ୍ୱିଡେନ୍‌ର ପରିବେଶ କର୍ମୀ ଗ୍ରେଟା ଥନବର୍ଗ ଚାଷୀ ଆନ୍ଦୋଳନ ନେଇ ରଖିଥିବା ପ୍ରତିକ୍ରିୟା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଗ୍ରେଟାଙ୍କ ନାମରେ ଥାନାରେ ମାମଲା ରୁଜୁ ସହ ଅନେକ ସଙ୍ଗୀନ ଦଫା ଲାଗିଛି । ଗ୍ରେଟାଙ୍କ ଏହି ବୟାନ ପଛରେ ଭାରତ ବିରୋଧୀ ଷଡ଼ଯନ୍ତ୍ର ରହିଛି ବୋଲି କହିଛି ଦିଲ୍ଲୀ ପୋଲିସ । ତେବେ ଗ୍ରେଟା ଓ ପପ୍‌ଷ୍ଟାର ରିହାନା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ମନ୍ତବ୍ୟ ରଖିବା ପରେ ଭାଜପା ନେତା ଓ ବହୁ ଭାରତୀୟ ସେଲିବ୍ରିଟିମାନେ ଏହାକୁ ନିନ୍ଦା କରିଛନ୍ତି । ସେପଟେ ଦିଲ୍ଲୀ ପୋଲିସ ଗ୍ରେଟାଙ୍କ ନାଁରେ ମାମଲା ରୁଜୁ କରିବା ପରେ କିଛି ଭୟ ନାହିଁ ବୋଲି କହିଛନ୍ତି ପରିବେଶ କର୍ମୀ ଗ୍ରେଟା ଥନବର୍ଗ ।

ଅନ୍ୟପଟେ ବିଦେଶୀ ସେଲିବ୍ରିଟିଙ୍କ ସମର୍ଥନ ନେଇ ମୁହଁ ଖେଲିଛନ୍ତି ଚାଷୀ ନେତା ରାକେଶ ଟିକାୟତ । କହିଛନ୍ତି, ଏହି ସେଲିବ୍ରିଟିମାନେ କିଏ ମୁଁ ଜାଣେନି । ହେଲେ ଚାଷୀଙ୍କୁ ସେମାନଙ୍କ ସମର୍ଥନ କୌଣସି ଦୃଷ୍ଟିରୁ ଭୁଲ୍‌ ନୁହେଁ । ସେହିଭଳି ଚାଷୀ ଆନ୍ଦୋନଳକୁ ନେଇ ଆମେରିକାର ପ୍ରତିକ୍ରିୟା ପରେ ଜବାବ ରଖିଛି ବର୍ହିବ୍ୟାପାର ମନ୍ତ୍ରଣାଳୟ । କହିଛି, ଆମେରିକା ଓ ଭାରତ ଉଭୟ ଗଣତାନ୍ତ୍ରୀକ ରାଷ୍ଟ୍ର । ଜାନୁୟାରୀ ୨୬ରେ ଲାଲ୍‌ କିଲ୍ଲାରେ ଘଟିଥିବା ହିଂସା ଆମେରିକାର କ୍ୟାପିଟୋଲ ହିଲ୍‌ ହିଂସା ଘଟଣା ଉଭୟ ଦେଶରେ ସମାନ ଭାବନା ଏବଂ ପ୍ରତିକ୍ରିୟା ସୃଷ୍ଟି କରିଛି । ଅଯଥା ଆକ୍ଷେପ କରିବା ଉଚିତ୍‌ ନୁହେଁ ।

Leave a Reply