ଗ୍ରାହକଙ୍କୁ କନ୍ଦାଉଛି ବିଲାତିର ଦରବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ଖାଉଟିଙ୍କୁ କନ୍ଦାଇଲାଣି ଟମାଟୋ । ଅନ୍ୟାନ୍ୟ ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଟମାଟୋରେ ହାତ ମାରିହେଉନି । କିଲୋଗ୍ରାମ ପିଛା ଦର ଶହେ ଛୁଇଁଥିବା ବେଳେ ଆଗକୁ ଏହି ଦର ଆହୁରି ବଢିବାର ସମ୍ଭାବନା ରହିଛି । ଟମାଟୋ ପାଇଁ ଓଡିଶା ବାଙ୍ଗାଲୋର ସହ ଅନ୍ଯ ରାଜ୍ଯ ଉପରେ ନିର୍ଭର କରୁଥିବା ବେଳେ ବର୍ଷା ତଥା ଅନ୍ୟାନ୍ୟ କାରଣରୁ ଆମଦାନୀ ପ୍ରଭାବିତ ହୋଇଛି । ଦରବୃଦ୍ଧି ନେଇ ବ୍ୟବସାୟୀ ମହାସଂଘ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛି । ସରକାରଙ୍କ ସହ ଯାହା ଆଲୋଚନା ହୋଇଥିଲା ତାର କିଛି ପ୍ରଭାବ ଦେଖିବାକୁ ମିଳୁନି ବୋଲି କହିଛି ରାଜ୍ୟ ବ୍ୟବସାୟୀ ମହାସଂଘ ।

ନାଲି ଟମାଟୋର ନାଲିଆଖି । ଗ୍ରାହକଙ୍କୁ କନ୍ଦାଉଛି ବିଲାତିର ଦରବୃଦ୍ଧି । ସେଞ୍ଚୁରୀ ମାରିଲାଣି ଦର । ଆଗାମୀ ଦିନରେ ୨ଶହ ଛୁଇଁବା ଆଶଂକା । ପନିପରିବା, ଆଳୁ, ପିଆଜ ଦର ଆକାଶଛୁଆଁ ଥିବାବେଳେ ଟମାଟୋରେ ଏବେ ହାତ ମାରି ହେଉନି । ବିଭିନ୍ନ ଖୁଚୁରା ଦୋକାନରେ ଶହେ କୋଡିଏ ଟଙ୍କା ମଧ୍ୟ ବିକ୍ରି ହେଉଛି । ଅତ୍ୟଧିକ ଦରବୃଦ୍ଧି ଯୋଗୁ ବହୁ ବ୍ୟବସାୟୀ ଟମାଟୋ ରଖୁ ନ ଥିବାବେଳେ କିଛି ବ୍ୟବସାୟୀ ଅଳ୍ପ ଟମାଟୋ ରଖୁଛନ୍ତି । ବାହାର ରାଜ୍ୟରୁ ଟମାଟୋ ଆସିବା କମିଥିବା ବେଳେ ବ୍ୟବସାୟୀ ଚଢା ଦରରେ କିଣୁଛନ୍ତି । ଏପରିକି ବଙ୍ଗାଲୋରରୁ ମଧ୍ୟ ଆବଶ୍ୟକ ଟମାଟୋ ଆସି ପାରୁ ନ ଥିବାରୁ ଦର ବଢି ଚାଲିଛି । ରୋଷେଇର ଏହା ବହୁଳ ଭାବେ ବ୍ୟବହାର ହେଉଥିବାରୁ ଲୋକେ ଦରବୃଦ୍ଧି ସତ୍ତ୍ବେ ବାଧ୍ୟ ହୋଇ ଆବଶ୍ଯକତା ଅନୁସାରେ କିଣୁଛନ୍ତି । ସେପଟେ ବାହାରୁ ଆମଦାନୀ କମିଲେ ମୂଲ୍ଯ ଆହୁରି ବଢିବ ବୋଲି କୁହାଯାଇଛି ।

ଆଗାମୀ ଦିନରେ ଦରଦାମ ବୃଦ୍ଧି ଆହୁରି ଅସହ୍ୟ ହେବ ବୋଲି କହିଛି ଓଡିଶା ବ୍ୟବସାୟୀ ମହାସଂଘ । ଏଥିପାଇଁ ସରକାରଙ୍କୁ ଦୋଷ ଦେଇଛି ମହାସଂଘ । କିଛି ଦିନ ତଳେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଦରଦାମ ବୃଦ୍ଧି ନିୟନ୍ତ୍ରଣ ନେଇ ବହୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ପଦକ୍ଷେପ ନିଆଯାଇ ନଥିବାରୁ ଦର ବଢିଚାଲିଛି । ସେପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କହିବା କଥା ଦରଦାମ ନିୟନ୍ତ୍ରଣ କରିବାକୁ ଜିଲ୍ଲା ସ୍ତରରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଯଦି ଟମାଟୋ ଦର ବଢିଛି, ତେବେ ଏହାକୁ ନିୟନ୍ତ୍ରଣ କରିବାକୁ ନିର୍ଦେଶ ଦିଆଯିବ ।