Tokyo Olympics 2020: ଅଲମ୍ପିକ୍ସକୁ ଅଭିଶାପ, ପ୍ରତି ୪୦ ବର୍ଷରେ ଲାଗେ ଗ୍ରହଣ

1 min read

ଖେଳର ମହାକୁମ୍ଭ ‘ଅଲମ୍ପିକ୍ସ’ ଚଳିତ ବର୍ଷ ଆୟୋଜିତ ହେଉଛି। ଗତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ଟୋକିଓ ଅଲମ୍ପିକ୍ସ ସ୍ଥଗିତ ରହିଥିଲା। ଅନେକ ସମୟରେ ଅଲମ୍ପିକ୍ସର ଆୟୋଜନ ନେଇ କିଛିଟା ସମସ୍ୟା ଉପୁଜିଥାଏ । ବେଳେ ବେଳେ ଆୟୋଜକ ଦେଶ ଏହାକୁ ସ୍ଥଗିତ କରିବାକୁ ମଧ୍ୟ ବାଧ୍ୟ ହୋଇଥାନ୍ତି । ତେବେ ସେ ଯାହା ହେଉନା କାହିଁକି, କୁହାଯାଏ ଅଲମ୍ପିକ୍ସ ଉପରେ ଏକ ଅଭିଶାପ ରହିଛି ।

ଯେଉଁଥିପାଇଁ ପ୍ରତ୍ୟେକ ୪ ଦଶନ୍ଧୀରେ ଥରେ ଏହାର ଆୟୋଜନ ନେଇ ସମସ୍ୟା ଉପୁଜିଥାଏ । ଏନେଇ ଜାପାନର ଉପ-ପ୍ରଧାନ ମନ୍ତ୍ରୀ ତାରୋ ଆସୋଙ୍କ ଏକ ବୟାନ ଚର୍ଚ୍ଚାରେ ରହିଥିଲା । ସେ ଗତ ବର୍ଷ କହିଥିଲେ ଯେ ‘‘ଅଲମ୍ପିକ୍ ୨୦୨୦ ଅଭିଶପ୍ତ ବୋଲି । ଏହା ପୂର୍ବରୁ ୧୯୪୦ ଓ ୧୯୮୦ରେ ମଧ୍ୟ ଅଲମ୍ପିକରେ ସମସ୍ୟା ଦେଖାଦେଇଥିଲା । ଏଭଳି ସମସ୍ୟା ପ୍ରତି ୪୦ ବର୍ଷରେ ହେଉଛି । ଯାହା ଏକ ସତ୍ୟ‘‘।

ତେବେ ଆସନ୍ତୁ ଜାଣିବା ଜାପାନର ମନ୍ତ୍ରୀ ଏଭଳି କାହିଁକି କହିଥିଲେ । ତାଙ୍କ ବୟାନ ପଛର କାରଣ କଣ? ବାସ୍ତବରେ, ପ୍ରତି ୪୦ ବର୍ଷ ପରେ ଅଲମ୍ପିକ୍ସରେ ଗ୍ରହଣ ଲାଗିଥାଏ କିମ୍ବା ଏହା କେବଳ ଏକ ସଂଯୋଗ ମାତ୍ର

ଟୋକିଓ ଅଲମ୍ପିକ୍ସ ୧୯୪୦-

୧୯୪୦ ମସିହାରେ ଟୋକିଓରେ ଅନୁଷ୍ଠିତ ହୋଇଥାନ୍ତା ଅଲମ୍ପିକ୍ସ ଏବଂ ଏହାକୁ ନେଇ ଜାପାନ ପକ୍ଷରୁ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ୧୯୩୨ ମସିହାରେ ଜାପାନକୁ ଏହି ମହାକୁମ୍ଭ ଆୟୋଜନ କରିବାର ଦାୟିତ୍ୱ ଦିଆଯାଇଥିଲା । ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୬ ତାରିଖ ମଧ୍ୟରେ ଏହା ଅନୁଷ୍ଠିତ ହେବାକୁ ଥିଲା । ଟୁର୍ନାମେଣ୍ଟର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ୧୯୩୯ ମସିହାରେ  ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଆରମ୍ଭ ହୋଇଥିଲା । ଯାହା ୧୯୪୫ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିପାଇଁ ଟୋକିଓ ଅଲମ୍ପିକ୍ସକୁ ବାତିଲ କରିବାକୁ ପଡିଥିଲା|

ମସ୍କୋ ଅଲମ୍ପିକ୍ସ ୧୯୮୦-

୧୯୮୦ରେ ପ୍ରଥମ ଥର ଲାଗି ୟୁରୋପକୁ ଅଲମ୍ପିକ୍ ଗେମ୍ସ ଆୟୋଜନ କରିବାର ଦାୟିତ୍ୱ ଦିଆଯାଇଥିଲା| ହେଲେ ଋଷ ଏହି ଅଲମ୍ପିକ୍ସ ଆୟୋଜନ କରିଥିଲା ବେଳେ ବଡବଡ ଦେଶ ଏଥିରେ ଅଂଶଗ୍ରହଣ କରିନଥିଲେ । ସମସ୍ତେ ଏହାର ବହିଷ୍କାର  କରିଥିଲେ। ୧୯୫୬ ଅଲମ୍ପିକ୍ ଗେମ୍ସ ପରେ ଏହା ପ୍ରଥମ ଘଟଣା, ଯେଉଁଥିରେ ଖୁବ୍ କମ୍ ଦେଶ ଅଂଶଗ୍ରହଣ କରିଥିଲେ |  ଏପରିକି ଆମେରିକା ସମେତ ୬୬ଟି ଦେଶ ଏହାର ବହିଷ୍କାର କରିବା ସହ ଏଥିରେ ଅଂଶଗ୍ରହଣ କରିନଥିଲେ।

ଟୋକିଓ ଅଲମ୍ପିକ୍ସ ୨୦୨୦-

ପ୍ରତ୍ୟେକ ୪୦ ବର୍ଷ ପରେ ଆୟୋଜିତ ହେଉଥିବା ଅଲମ୍ପିକ୍ସ କିଛି ନା କିଛି କାରଣରୁ ସମସ୍ୟାରେ ପଡିଥାଏ । ପ୍ରଥମ ଦୁଇଟି ଅଲମ୍ପିକ୍ସ ମଧ୍ୟରୁ ଗୋଟିଏକୁ ବାତିଲ୍ କରିବାକୁ ପଡିଥିବା ବେଳେ ଦ୍ୱିତୀୟଟିକୁ ବଡବଡ ଦେଶ ବହିଷ୍କାର କରିଥିଲେ। ସେହିପରି କରୋନା ସଂକ୍ରମଣ ଯୋଗୁଁ ଗତ ବର୍ଷ ଟୋକିଓ ଅଲମ୍ପିକ୍ସ ୨୦୨୦କୁ ସ୍ଥଗିତ ରଖାଯାଇଥିଲା । ଯାହା ଚଳିତ ବର୍ଷ ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଯାଉଛି ।

 

Leave a Reply