ଏବେ ଟ୍ରଫ୍‌ ଲାଇନ୍‌ ଦକ୍ଷିଣ ମୁହାଁ ହୋଇଛି, ସେଥିପାଇଁ ଆଜିଠୁ ରାଜ୍ୟକୁ ଫେରିବ ଶୀତ

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଆଜିଠୁ କମିବ ପାରା । ବଢିବ ଶୀତ, ଥରିବ ଓଡ଼ିଶା  । ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ରହିଥିବା ପୂର୍ବ ଟ୍ରଫ୍‌ ଲାଇନ୍ ଯୋଗୁ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ର ସ୍ୱାଭାବିକ ଠାରୁ ଅଧିକ ରହିଥିଲା । କିଛି ସ୍ଥାନରେ ସମାନ୍ୟ ବର୍ଷା ମଧ୍ୟ ହୋଇଥିଲା । ହେଲେ ଏବେ ଟ୍ରଫ୍‌ ଲାଇନ୍‌ ଦକ୍ଷିଣ ମୁହାଁ ହୋଇଛି ।

ଫଳରେ ଆଜି ଅପରାହ୍ନ ଠାରୁ ପୁଣି ତାପମାତ୍ରା କମିବ । ୧୫ ତାରିଖରୁ ପୁଣି ଅଧିକ ଥଣ୍ଡା ଅନୁଭୁତ ହେବ । ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ ଖସି ୧୯ ଡିଗ୍ରି ପାଖାପାଖି ପହଞ୍ଚିଯିବ। ଏହାପରେ ଆହୁରି ୧ ଡିଗ୍ରି ପର୍ଯ୍ୟନ୍ତ ପାରଦ ଖସିବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତା ୨/୩ ଦିନରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩/୪ ଡିଗ୍ରି ପର୍ଯ୍ୟନ୍ତ ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ଗତ ୨୪ ଘଣ୍ଟା‌ରେ ସୋନ୍‌ପୁରଠାରେ ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରି ରେକର୍ଡ ହୋଇଛି । ସେହିପରି ଦାରିଙ୍ଗବାଡ଼ିଠାରେ ୧୪ ଡିଗ୍ରି ଓ କୋରାପୁଟଠାରେ ୧୪.୬ ଡିଗ୍ରି ‌ରାତ୍ରି ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।

Leave a Reply