କାଲି ସୁଦ୍ଧା ରାଜ୍ୟରୁ ଫେରିଯିବ ମୌସୁମୀ, ସକ୍ରିୟ ରହିଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

1 min read

ଭୁବନେଶ୍ୱର: ରାଜ୍ୟରୁ କାଲି ସୁଦ୍ଧା ଫେରିଯିବ ମୌସୁମୀ । ଓଡ଼ିଶାରୁ ମୌସୁମୀ ଫେରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କାଲି ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରୁ ମୌସୂମୀ ଫେରିବ । ପରବର୍ତ୍ତୀ ଦିନରେ ସାରା ରାଜ୍ୟରୁ ମୌସୁମୀ ଫେରିଯିବ । ସେପଟେ ବଙ୍ଗୋପସାଗରରେ ଅବପାତ ଏବେ ପାରାଦୀପଠାରୁ ଉତ୍ତର-ପୂର୍ବ ଦିଗରେ ୨୦୦ କିଲୋମିଟର ଦୂରରେ ସକ୍ରିୟ ରହିଛି । ଏହା  ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତିକରି ଆଜି ସାଗର-ଦ୍ଵୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପାରାଠାରେ ସୁନ୍ଦରବନ ଅଞ୍ଚଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଉତ୍ତର-ଓଡ଼ିଶା ଉପକୂଳ ଜିଲ୍ଲା ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୫ ତାରିଖରୁ ସମ୍ବଲପୁର, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ପ୍ରଥମେ ଫେରିବ। ଏହାର ଦିନକରୁ ୨ଦିନ ଭିତରେ ସାରା ରାଜ୍ୟରୁ ମୌସୁମୀ ଫେରିଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ଶେଷ ସପ୍ତାହରୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଓଡ଼ିଶାରୁ ଫେରିବା ପ୍ରକ୍ରିୟା ଏଥର ବିଳମ୍ବ ହୋଇଛି ।

ସାଧାରଣତଃ ରାଜ୍ୟରୁ ଅକ୍ଟୋବର ୧୦ରୁ ୧୫ ତାରିଖ ଭିତରେ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହା ୧୦ ଦିନ ବିଳମ୍ବ ହୋଇଛି। ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ରାଜ୍ୟରୁ ମୌସୁମୀ ଅପସରିଯିବା ସହ ପାଗ ଶୁଖିଲା ରହିବ। ବାୟୁମଣ୍ଡଳର ଆର୍ଦ୍ରତା ଧୀରେଧୀରେ କମିବା ସହ ତାପମାତ୍ରା ବି ଏବେ ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ କମିବ। ସକାଳୁ ଟିକେ ଟିକେ ଥଣ୍ଡା ଅନୁଭୂତ ହେବ। କିନ୍ତୁ ବି‌ଶେଷ ଥଣ୍ଡା ଅନୁଭୂତ ହେବ ନାହିଁ। ବିଳମ୍ବରେ ଶୀତ ଆସିପାରେ ବୋଲି କହିଛନ୍ତି ଶ୍ରୀ ବିଶ୍ବାସ।

Leave a Reply