ପୁଣି ଫେରିବ ଶୀତ, ବର୍ଷା ନେଇ ୮ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କତା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି । ଅଦିନିଆ ବର୍ଷାରେ ବିଭିନ୍ନ ସ୍ଥାନରେ ଧାନ ସବୁ ମଣ୍ଡିରେ ଭିଜୁଛି । କିଛି ସ୍ଥାନରେ ଝଡ ତୋଫାନ ଯୋଗୁ ନଷ୍ଟ ହୋଇଛି ଘରଦ୍ଵାର । ବଲାଙ୍ଗୀର, କଟକ, ଯାଜପୁରରେ ବର୍ଷା ଲାଗି ରହିଛି । ତେବେ ଆହୁରି ୨୪ ଘଣ୍ଟା ବର୍ଷା ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ ଓ ଦେବଗଡରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବ । ୨୭ ତାରିଖରେ ବର୍ଷାର ପରିମାଣ କମିପାରେ । ଏହାସହ ୨୭ ରୁ ୨୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ କୁହୁଡି ଜାରି ରହିବ । ଶୀତ ପୁଣି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସେପଟେ ସୁନ୍ଦରଗଡ଼ରେ ଅଦିନିଆ ବର୍ଷା ପରେ ଘନ କୁହୁଡ଼ି ରହିଛି । କୁହୁଡ଼ିର ମାତ୍ରା ଏତେ ଅଧିକ ଥିଲା ଯେ ୫ ଫୁଟ ପର୍ଯ୍ୟନ୍ତ ରାସ୍ତା ଦେଖିବା ବି ମୁସକିଲ ହୋଇପଡ଼ିଛି । ଅନ୍ୟପଟେ କୁହୁଡ଼ି ଯ଼ୋଗୁଁ ପ୍ରଭାବିତ ହୋଇଛି ଜୀବନଯାତ୍ରା ।

Leave a Reply