୩ଦିନ ପର୍ଯ୍ୟନ୍ତ କୁହୁଡ଼ି ପାଇଁ ଖରାରେ କୋହଳ, ଆଗକୁ ବଢ଼ିବ ତାପମାତ୍ରା
ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଯାଏଁ ରହିବ ଘନ କୁହୁଡ଼ିର ଆସ୍ତରଣ । ବିଶେଷକରି ଓଡ଼ିଶାର ଉପକୁଳବର୍ତ୍ତି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ ଜିଲ୍ଲାରେ ରହିବ ଘନକୁହୁଡି ।
୨୦୦ ମିଟରରୁ ଅଧିକ ରାସ୍ତା ଦୃଶ୍ୟମାନ ହେବ ନାହିଁ । ଦିନ ଓ ରାତି ତାପମାତ୍ରାରେ କିଛି ପ୍ରଭାବ ପଡ଼ିବନି । ଆହୁରି ୨ରୁ ୪ ଦିନ ଏଭଳି ତାପମାତ୍ରା ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।
ପରେ ତାପମାତ୍ରା ଧୀରେ ଧୀରେ ବଢ଼ିବ । ଓଡ଼ିଶାର ବିଭିନ୍ନ ସ୍ଥାନରେ କେଉଁଠି କେଉଁଠି ୨ ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଉଛି । ସେହିପରି ପୂର୍ବାନୁମାନ ଅନୁଯାୟୀ ଗତକାଲିଠାରୁ ଶୀତ କମିବା ସହ ଓଡ଼ିଶାର ବିଭିନ୍ନ ସହରରେ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି । ପାରାଦୀପ, ପୁରୀ, ଛତ୍ରପୁର, ଫୁଲବାଣୀ ବ୍ୟତୀତ ଅନ୍ୟ ସମସ୍ତ ସହରରେ ଆଜି ଦିନର ତାପମାତ୍ରା ୩୦ ଡିଗ୍ରି ଟପିଯାଇଛି ।
ମାଲକାନଗିରିର ତାପମାତ୍ରା ପୂର୍ବଭଳି ୩୫ ଡିଗ୍ରି ରହିଥିବା ବେଳେ ପାରଳାଖେମୁଣ୍ଡିରେ ୩୪.୫ ଡିଗ୍ରି ରେକର୍ଡ ହୋଇଛି। ମଙ୍ଗଳବାରଠାରୁ ଦିନର ତାପମାତ୍ରା ଆହୁରି ବଢ଼ିବ ।