ବଙ୍ଗୋପସାଗରରେ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଘନିଭୁତ ହେବା ପରେ ଓଡ଼ିଶା ଉପକୂଳ ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବ। ଲଘୁଚାପ ପ୍ରଭାବରେ ୫ ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର ଏବଂ ମୟୁରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାସହ କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ବଲାଙ୍ଗିର, ମୟୁରଭଞ୍ଜ, କେନ୍ଦୁଝର, ନୂଆପଡା ଏବଂ ଅନୁଗୁଳରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ଲଘୁଚାପର ପ୍ରଭାବ ୧୬ ଏବଂ ୧୭ ତାରିଖରେ ସର୍ବାଧିକ ରହିବ। ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଲଘୁଚାପର ପ୍ରଭାବ ୧୮ ତାରିଖ ପର୍ଯ୍ୟନ୍ତ ରହିବ। ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ରହିବ।

ସମୁଦ୍ର ଅଶାନ୍ତ ରହିବା କାରଣରୁ ୧୭ ଏବଂ ୧୮ ତାରିଖରେ ମତ୍ସଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେପଟେ ରାଜ୍ୟରେ ମୌସୁମୀ ଦୁର୍ବଳରହିଥିବାରୁ ଏବେ ବି ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଜୁନ୍ ୧ ତାରିଖରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାଜ୍ୟରେ ୭୪୯.୫ ମିଲିମିଟର ବର୍ଷା ରେକର୍ଡ ହେବା କଥା।

କିନ୍ତୁ ବର୍ତ୍ତମାନ ସୁଦ୍ଧା ୫୨୪.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ଠାରୁ ୩୦ ପ୍ରତିଶତ କମ୍। ରାଜ୍ୟର ୨୪ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୫୧, ବଲାଙ୍ଗିରରେ ୪୪, କେନ୍ଦୁଝରରେ ସ୍ୱାଭାବିକ ଠାରୁ ୪୧ ପ୍ରତିଶତ, ଅନୁଗୁଳ, ଝାରସୁଗୁଡା ଏବଂ ଗଜପତିରେ ସ୍ୱାଭାବିକ ଠାରୁ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave a Reply