ରାଜ୍ୟରେ ଆଗକୁ କମିବ ତାପମାତ୍ରା, ୧୯ରୁ ହାଡ଼ଭଙ୍ଗା ଶୀତରେ ଥରିବ ଉପାନ୍ତରୁ ଉପକୂଳ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ବଢିବ ଶୀତ । ଉପାନ୍ତରୁ ଉପକୂଳ ସବୁଠି ଥରେଇବ ଶୀତ  । ଆସନ୍ତା ୧୯ ତାରିଖରୁ ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଅନୁଭୂତ ହେବ  । ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ଖସିବ ତାପମାତ୍ରା। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର। ରାଜଧାନୀ ଭୁବନେଶ୍ବର ଓ କଟକରେ ମଧ୍ୟ ଶୀତ ଲହରୀ ଜାରି ରହିବ । ଉପକୂଳ ଓଡ଼ିଶାରର ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜରେ ତାପମାତ୍ରା ୧୦ରୁ ୧୨ ଡିଗ୍ରିକୁ ଖସି ଆସିବ ।

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନବରଙ୍ଗପୁରରେ ତାପମାତ୍ରା ୮ରୁ ୧୦ଡିଗ୍ରି ପର୍ଯ୍ୟନ୍ତ ଖସିଆସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଭଦ୍ରକ, ଯାଜପୁର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ବୌଦ୍ଧ, ମୟୂରଭଞ୍ଜ, କଳାହାଣ୍ଡି, ନୟାଗଡ଼, ଖୋର୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରି ଥିବା ବେଳେ ଦାରିଙ୍ଗବାଡ଼ିରେ ୧୪ ଓ କୋରାପୁଟରେ ୧୪.୬ ଡିଗ୍ରି ରହିଥିଲା।

Leave a Reply