ରାଜ୍ୟରେ ଥରାଇଲାଣି ଶୀତ, ଦାରିଙ୍ଗବାଡ଼ିରେ ରହିଛି ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରା, ବଢୁଛି ଶୀତ । ସକାଳୁ ସକାଳୁ ଥଣ୍ଡା ବେଶି ଅନୁଭୂତ ହେଉଛି । ଦିନ ୧୦ ଟା ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହୁଛି । ଗତ ଦୁଇଦିନ ହେବ ରାଜ୍ୟରେ ବଢ଼ିଛି ଥଣ୍ଡା । ଗତ ରାତିରୁ ରାଜଧାନୀରେ ପ୍ରବଳ ଥଣ୍ଡା ପଡ଼ିଥିଲା । କିଛି କିଛି ସ୍ଥାନରେ କୁହୁଡିର ଆସ୍ତରଣ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି । ଥଣ୍ଡା ସାଙ୍ଗକୁ କୋହଲା ପବନ ଶୀତଦିନର ଆଭାସ ଦେଉଛି । ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ିରେ ମଧ୍ୟ ପ୍ରବଳ ଶୀତର ଅନୁଭବ ହେଲାଣି ।

ଲୋକେ ଅଧିକ ଥଣ୍ଡା କାରଣରୁ ଘରୁ ବହୁତ ଡ଼େରିରେ ବାହାରୁଛନ୍ତି । ବୟସ୍କ ଲୋକଙ୍କୁ ଘରୁ ଡ଼େରିରେ ବାହାରିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ୧୫ ଡ଼ିଗ୍ରୀ ତଳେ ୧୨ ସହର ରହିଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ରାତ୍ରି ତାପମାତ୍ରା  ୯.୦ ଡିଗ୍ରୀ ରେକର୍ଡ କରାଯାଇଛି । ଫୁଲବାଣୀ ୧୧.୦, ସୋନପୁର ୧୧.୪ , ଅନୁଗୁଳ ୧୧.୬, ବାରିପଦା ୧୨.୦,  କେନ୍ଦୁଝର ୧୨.୪, ତାଳଚେର ୧୨.୫ , ଭବାନୀପାଟଣା ୧୩.୬ , ଝାରସୁଗୁଡା ୧୩.୮, କୋରାପୁଟ ୧୪.୦,  କଟକ ୧୪.୫,   ଏବଂ  ଚାନ୍ଦବାଲି ୧୪.୮, ରାଜଧାନୀ ଭୁବନେଶ୍ୱର ରେ  ରାତ୍ରି ତାପମାତ୍ରା ୧୬.୦ ଡ଼ିଗ୍ରୀ ରେକର୍ଡ ହୋଇଛି ।

ଫୁଲବାଣୀ ଏବଂ ସୁନ୍ଦରଗଡ ରେ ଘନ କୁହୁଡି ରହିଛି । ଯାହାଫଳରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରୁ କମ ରହୁଛି । କୋରାପୁଟ ଠାରେ ମଧ୍ୟମ ଧରଣର କୁହୁଡି  ଏବଂ ଦୃଶ୍ୟମାନ ଦୂରତା ୩୦୦ ମିଟର । ତାଳଚେର, ବଲାଙ୍ଗୀର ଏବଂ ଭବାନୀପାଟଣା ଠାରେ ହାଲୁକା କୁହୁଡି ଦୃଶ୍ୟମାନ ଦୂରତା ୮୦୦ ମିଟର ରହିଛି ।

 

Leave a Reply