spot_img

Latest Posts

୪୦ ଡିଗ୍ରୀ ଉପରେ ରାଜ୍ୟର ୯ ସହର, ଆଗକୁ ଆହୁରି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ପାରଦ। ପ୍ରଚଣ୍ଡ ଖରା ଯୋଗୁଁ ତନ୍ଦୁରିଭାଟି ହୋଇଛି ରାଜ୍ୟର ୨୩ ସହର। ଖରା କାରଣରୁ ଲୋକେ ଏବେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି। ଘରୁ ବାହାରିବା ସମୟରେ ହାତରେ ଛତା ଏବଂ ପାଣି ସାଙ୍ଗରେ ନେଇ ବାହାରୁ ଛନ୍ତି। ତେବେ ଯଦି ଦେଖିବା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ବୋଲି ସୂଚନା ମିଳିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ରାଜ୍ୟର ୧୪ ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଥିବା ବେଳେ ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବୌଦ୍ଧରେ ୪୦.୦୮ ଡିଗ୍ରୀ, ଭୁବନେଶ୍ୱରରେ ୪୦.୦୪ ଡିଗ୍ରୀ, ବଲାଙ୍ଗୀରରେ ୪୦.୦୪ ଡିଗ୍ରୀ, ସୋନପୁରରେ ୪୦.୦୨ ଡିଗ୍ରୀ, ଅନୁଗୁଳରେ ୪୦.୦୧ ଡିଗ୍ରୀ ତାପମାତ୍ରା ରହିଛି। ସେହିଭଳି ବାରିପଦା, ଟିଟଲାଗଡ଼, ମାଲକାନାଗିରି ଏବଂ ନୟାଗଡ଼ରେ ୪୦.୦ ଡିଗ୍ରୀ ତାପମାତ୍ରା ରହିଛି।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାରଦ ବଢିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ଡିଗ୍ରୀ ତାପମାତ୍ରା ବଢିବାକୁ ଥିବା ବେଳେ ବାକି ଜିଲ୍ଲା ଗୁଡିକରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୯ ଓ ୩୦ ତାରିଖ ବେଳକୁ ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ବା ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ରାଜଧାନୀ ଭୁବନେଶ୍ବର ସମେତ ମାଲକାନଗିରି ଏବଂ ବାରିପଦାରେ ୪୦ଡିଗ୍ରୀରୁ ଉପରେ ତାପମାତ୍ରା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅଧିକାଂଶ ସହରର ତାପମାତ୍ରା ୩୭ ରୁ ୪୦ ଡିଗ୍ରୀ ମଧ୍ୟରେ ରହିବ ।

 

 

Latest Posts

Don't Miss