୧୨ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ ବଳୟ, ଆଜିଠୁ ପାଗରେ ପରିବର୍ତ୍ତନ

1 min read

ଭୁବନେଶ୍ୱର: ବାତ୍ୟା ଅସ୍ପଷ୍ଟ ,ହେଲେ ଲଘୁଚାପ ସ୍ପଷ୍ଟ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷୀଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ କୂଳରେ ପହଞ୍ଚିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାର ପ୍ରଭାବରେ ରାଜ୍ୟରେ ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଘଡଘଡି ଓ ବଜ୍ରପାତ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୧୩ଟି ଜିଲ୍ଲାରେ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାପରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ କେତେ ଦୂର ଘନୀଭୂତ ହେବ ତାହା ଏ ଯାଏଁ ସ୍ପଷ୍ଟ ହୋଇନି। ଅପରପଟେ ଦକ୍ଷୀଣ-ପଶ୍ଚିମ ମୌସୁମୀ ବାୟୁ ସାରା ଦେଶରୁ ଧିରେ ଧିରେ ବିଦାୟ ନେଉଥିବା ବେଳେ ଲଘୁଚାପ ପ୍ରଭାବରେ ସାମାନ୍ୟ ବିଳମ୍ଭ ହେବାର ସମ୍ଭାବନା ରହିଛି।

Leave a Reply