ଆସୁଛି ଆଉ ଏକ ବଡ଼ ଲଘୁଚାପ ବର୍ଷା, ୫ ଜିଲ୍ଲାକୁ ୟେଲୋ ଆଲର୍ଟ

1 min read

ଭୁବନେଶ୍ୱର: ପୁଣି ଟେନସନ ଆଣିବ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକାଧିକ ସିଷ୍ଟମ୍। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହା ପଶ୍ଚିମବଙ୍ଗ ଉପକୂଳରେ ଘନୀଭୁତ ହେବା ପରେ ଉତ୍ତର ଦିଗକୁ ଗତି କରିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପରେ ଆହୁରି ଘନିଭୁତ ହୋଇ ଏହା ଅବପାତରେ ପରିଣତ ହୋବ।

ଏହି ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲା ଗୁଡିକୁ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ରହିବ। ଅକ୍ଟୋବର ୩ ତାରିଖରେ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେବାକୁ ଥିବା ଆଉ ଏକ ସିଷ୍ଟମ୍ ୫ ତାରିଖରେ ଫିଲିପାଇନ୍ସ ଏବଂ ୬ ତାରିଖରେ ଦକ୍ଷିଣ ଚୀନ୍ ସାଗର ଦେଇ ୭ ତାରିଖରେ ମିଆଁମାର ଉପକୂଳରେ ପହଞ୍ଚିବ।

ଏହାର ପ୍ରଭାବରେ ୯ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୩ ତାରିଖ ବେଳକୁ ଏହି ଲଘୁଚାପର ତୀବ୍ରତା ସ୍ପଷ୍ଟ ହେବ। ତେବେ ବଙ୍ଗୋପ ସାଗରରେ ଘନଘନ ସିଷ୍ଟମ୍ ସୃଷ୍ଟି ହେବା ପାଇଁ ଏବେ ପାଗ ଅନୁକୂଳ ରହିଛି। ସେପଟେ ବାତ୍ୟା ଗୁଲାବ୍ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହା ଏବେ ପ୍ରଭାବ ଶୂନ୍ୟ ହୋଇଛି। କିନ୍ତୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହୁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave a Reply