spot_img

Latest Posts

ଆଜିଠୁ ବଦଳିବ ପାଗ, ଆକାଶ ମେଘାଛନ୍ନ ରହିବା ସହ ହାଲୁକା ବର୍ଷା ହେବ

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଦଳିବ ପାଗ । ଆକାଶ ମେଘାଛନ୍ନ ରହିବା ସହ ହାଲୁକା ବର୍ଷା ହେବ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିବା ବେଳେ ଆଜିଠୁ ପଶ୍ଚିମା ଝଡ ପ୍ରଭାବରେ ପାଗ ପରିବର୍ତ୍ତନ ହେବ। ପ୍ରଭାବରେ କାଲିଠୁ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ୨ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଏବଂ ମୟୁରଭଞ୍ଜରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ବାକି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ସଂଲଗ୍ନ ଜିଲ୍ଲାଗୁଡିକରେ କୋହଲା ପାଗ ରହିବ।

ସେପଟେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ଥିବାରୁ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ। ଆଜି ଘନ କୁହୁଡି ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ କାଲି ପାଇଁ ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଗଞ୍ଜାମ, କନ୍ଧମାଳ, ସୋନପୁର, ବଲାଙ୍ଗିର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ବର, କଟକ, ବୌଦ୍ଧ ଏବଂ କଳହାଣ୍ଡିକୁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ। ଘନ କୁହୁଡି ସମୟରେ ଦୃଶ୍ୟମାନ କ୍ଷମତା କମ୍ ରହୁଥିବାରୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

 

Latest Posts

Don't Miss