ଦେଶରେ ବଢୁଥିବା ସଂକ୍ରମଣକୁ ନେଇ ଆଜି ପିଏମ-ସିଏମ୍‌ ବୈଠକ, ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କିଛି ସମୟ ପରେ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତାରେ ସରକାର । ଅଧିକ କରୋନା ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କିଛି ସମୟ ପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳ, ପଶ୍ଚିମବଙ୍ଗ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହେବେ ।

ଦୈନିକ ସଂକ୍ରମଣ ବୃଦ୍ଧିର କାରଣ ଓ ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ନେଇ ଆଲୋଚନା ହୋଇପାରେ । ପାର୍ବଣ ଋତୁରେ ଏସବୁ ରାଜ୍ୟରେ କରୋନା ସଂକ୍ରମଣ ବଢିଛି । ସେହିପରି ଦ୍ୱିତୀୟ ବୈଠକରେ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।

ଏଥିରେ କରୋନା ଭ୍ୟାକସିନ୍‌ ଓ ଏହାର ବିତରଣ ନେଇ ଆଲୋଚନା କରାଯିବ । ଦେଶରେ ପ୍ରାୟ ୫ଟି ଟିକାର କ୍ଲିନିକାଲ୍ ଟ୍ରାଏଲ ଚାଲିଛି । ଆସନ୍ତାବର୍ଷ ମଧ୍ୟ ଭାଗ ଆଡକୁ ଦେଶବାସୀଙ୍କୁ ସ୍ବଦେଶୀ କିମ୍ବା ବିଦେଶୀ ଟିକା ମିଳିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଭ୍ୟାକ୍‌ସିନ୍ ବିତରଣ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଟିକା ଆସିଲେ କିଭଳି ଦେଶର ସମସ୍ତ ନାଗରିକଙ୍କୁ ସୁରୁଖୁରରେ ମିଳିବ ଏହା ସରକାରଙ୍କ ପାଇଁ ପ୍ରଥମ ପ୍ରାଥମିକତା ରହିଛି। ସେପଟେ ଭ୍ୟାକସିନ୍ ପ୍ରସ୍ତୁତ ହେବା ପରେ ଭାରତକୁ ପ୍ରାଥମିକତା ଦିଆଯିବ ବୋଲି ସିରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦାର ପୁନାଓ୍ୱାଲା କହିଛନ୍ତି ।

Leave a Reply