ଆଜି ରଙ୍ଗର ପର୍ବ ହୋଲି , ଗାଁଠୁ ସହର ସବୁଠି ଉତ୍ସାହର ମାହୋଲ

ଭୁବନେଶ୍ବର :  ଆଜି ରଙ୍ଗର ପର୍ବ ହୋଲି । ଆଧ୍ୟାତ୍ମିକ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଆନନ୍ଦ ଓ ଭାତୃତ୍ବର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ ।

ହୋଲି ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ । ରଙ୍ଗର ଏହି ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଇଛି । କୋଲକାତାରେ ହୋଲି ପାଇଁ ଦେଖିବାକୁ ମିଳିଛି ସ୍ବତନ୍ତ୍ର ଉତ୍ସବ । ଦୁଇବର୍ଷ ପରେ ଲୋକେ ଏକାଠି ହୋଇ ରଙ୍ଗ ଖେଳିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜସ୍ଥାନରେ ପାଳିତ ହୋଇଛି ପାରମ୍ପରିକ ହୋଲି ଉତ୍ସବ । ବିଭିନ୍ନ ସଂସ୍ଥା ପକ୍ଷରୁ ଏଥିପାଇଁ ଆୟୋଜିତ ହୋଇଛି ହୋଲି ସେଲିବ୍ରେସନ । ସେହି ପିରି ବୃନ୍ଦାବନରେ କୃଷ୍ଣ ପ୍ରେମରେ ରଙ୍ଗ ଖେଳି ମଜିଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗ ଫଗୁରେ ରଙ୍ଗାୟିତ ବୃନ୍ଦାବନର ପବିତ୍ର ମାଟି । ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ କୃଷ୍ଣ ଭକ୍ତିରେ ଲିନ ହୋଇ ହୋଲି ଖେଳରେ ମାତିଥିଲେ । ସେହିପରି ଜମ୍ମୁ କାଶ୍ମୀର ସୀମାରେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ଉତ୍ସବ ପାଳିଛନ୍ତି ବିଏସଏଫ ଜବାନ ।