ଉମେଶ ପାଲ ଅପହରଣ ଘଟଣା, ଆଜି ଗ୍ୟାଙ୍ଗଷ୍ଟାର ଆତିକ ଅହମ୍ମଦ ବିରୋଧରେ ହେବ ଦଣ୍ଡ ଘୋଷଣା

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଘଟଣା । ଆଜି ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ ଅହମ୍ମଦ ବିରୋଧରେ ଦଣ୍ଡ ଘୋଷଣା କରିବେ ଉତ୍ତରପ୍ରଦେଶ ପ୍ରୟାଗରାଜ କୋର୍ଟ । ଗୁଜରାଟର ସାବରମତୀ ଜେଲରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ହାଇପ୍ରୋଫାଇଲ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ ଅହମ୍ମଦକୁ ଅଣାଯାଇଥିଲା । ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ଘଟଣାରେ ଦଣ୍ଡ ଘୋଷଣା ହେବ । ଜେଲରେ ତା ଲାଗି ସ୍ବତନ୍ତ୍ର ବାରାକ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ତାକୁ ରଖାଯାଇଛି । ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ଆତିକଙ୍କୁ ନିରାପତ୍ତା କାରଣରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗତ ୨୦୧୯ ଜୁନରୁ ଗୁଜରାଟ ସାବରମତୀ ଜେଲରେ ରଖାଯାଇଥିବା ବେଳେ ତାକୁ ଗତକାଲି ପ୍ରୟାଗରାଜ ନିଆଯାଇଥିଲା ।

ବିଗତ ୨୦୦୫ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଆତିକ । ଏହା ସହ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟା ଘଟଣାର ମଧ୍ୟ ଅଭିଯୁକ୍ତ ଅଛି ଆତିକ । ଗତ ୨୦୦୫ରେ ଉମେଶ ପାଲଙ୍କୁ ଅପହରଣ ଘଟଣାରେ ଆତିକର ମୁଖ୍ୟ ଭୂମିକା ଥିଲା । ପରେ ଉମେଶଙ୍କୁ ଛାଡ଼ି ଦିଆଯାଇଥିଲା । ଅପହରଣ ମାମଲାର ଶୁଣାଣିର ଶେଷ ଦିନରେ ଅର୍ଥାତ ଗତ ଫେବ୍ରୁଆରୀ ୨୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ହତ୍ୟା କରାଯାଇଥିଲା । ଗତ ମାର୍ଚ୍ଚ ୧୪ ତାରିଖରେ ଉମେଶ ପାଲଙ୍କୁ ହତ୍ୟା ଘଟଣାରେ ଜଡ଼ିତ ଥିବା ଅଭିଯୋଗରେ ପୋଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିଲା ବିଜୟ ଚୌଧୁରୀ ଓରଫ ଉସମାନ । ଆତିକ ଅହମ୍ମଦ ଉତ୍ତରପ୍ରଦେଶର ଜଣେ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଏବଂ ସେ ୧୦୦ରୁ ଅଧିକ ମାମଲାରେ ଅଭିଯୁକ୍ତ । ଆତିକ ମଧ୍ୟ ରିୟଲ ଇଷ୍ଟେଟ ବ୍ୟବସାୟୀ ମୋହିତ ଜୈସଓ୍ବାଲ ଅପହରଣ ଘଟଣାରେ ଅଭିଯୁକ୍ତ ଅଛି ।