ଆଜି ଆସିବ ଚୂଡାନ୍ତ ପୌର ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ପୌର ନିର୍ବାଚନ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ । ଆଜି ସନ୍ଧ୍ୟାକୁ ଆସିବ ଚୂଡାନ୍ତ ତାଲିକା । ଆଜି ଦିନ ୩ଟା ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ।

ଶେଷ ମୁହୁର୍ତ୍ତରେ ଟିକେଟ୍ କଟିଥିବା ଅନେକ ଆଶାୟୀ ଏଥର ସ୍ବାଧୀନ ଭାବରେ ନାମାଙ୍କନ ଦାଖଲ କରିଥିଲେ । ଏହା ଭିତରେ ବିଜେଡି ଆଶାୟୀଙ୍କୁ ମନାଇବାରେ ସଫଳ ହୋଇଛି । ଟିକେଟ୍ କଟିଥିବା ପ୍ରାର୍ଥୀମାନଙ୍କୁ ଦଳ ବୁଝାଇଛି । ଆଶାୟୀମାନେ ମଧ୍ୟ ଦଳର ଶୃଙ୍ଖଳା ମାନି ରହିଛନ୍ତି । ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ଅସନ୍ତୁଷ୍ଟଙ୍କୁ ବୁଝାଇବାରେ ସଫଳ ହୋଇଥିଲା । ଯାହାର ଫଳାଫଳ ନିର୍ବାଚନରେ ଦେଖିବାକୁ ମିଳିଥିଲା ।

ସେପଟେ ବିରୋଧୀ ଦଳମାନଙ୍କରେ କିନ୍ତୁ ବିବାଦ ତୀବ୍ର ହୋଇଥିବା ଦେଖିବାକୁ ମିଳିଛି । କିଛିଦିନ ତଳେ ଭବାନୀପାଟଣା ପୌର ପରିଷଦ ଟିକେଟ୍ ନେଇ ବିଜେପି ନେତାଙ୍କ ଭିତରେ ବିବାଦ ଦେଖାଦେଇଥିଲା । କଂଗ୍ରେସରେ ପୌର ବିବାଦ କୋରାପୁଟରୁ ଭୁବନେଶ୍ବର ଯାଏଁ ବ୍ୟାପିଛି । ଆଜି ଚୂଡ଼ାନ୍ତ ତାଲିକା ଆସିବା ପରେ ଆହୁରି ଜୋରଦାର ହେବ ପୌର ପ୍ରଚାର ।