ପଞ୍ଚାୟତରେ ବାଜି ଲଗାଇବାର ଆଜି ଶେଷ ଦିନ

ଭୁବନେଶ୍ବର: ଆଜି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ । ପଞ୍ଚାୟତ ଦଙ୍ଗଲରେ ବାଜି ଲଗାଇବା ପାଇଁ ଆଶାୟୀଙ୍କ ପାଖରେ ଆଜି ହିଁ ଶେଷ ସୁଯୋଗ । ସେପଟେ ନାମାଙ୍କନପତ୍ର ଦାଖଲ ଆରମ୍ଭରୁ ନିର୍ବାଚନୀ ପାରା ଚଢ଼ିବାରେ ଲାଗିଛି । ପ୍ରତିଦିନ ନାମାଙ୍କନ ଦାଖଲର ସଂଖ୍ୟା ବଢୁଚାଲିଛି ।  ଆଜି ଶେଷ ଦିନରେ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି ।

ହାତରେ ଆଉ ସମୟ ନଥିବା ବେଳେ ରାଜେନୖତିକ ଦଳମାନଙ୍କୁ ଘାରିଛି ଟିକେଟ ଚିନ୍ତା । ବିଜେଡିର ଟିକେଟ୍ ବଣ୍ଟା ପ୍ରାୟ ସବୁଠି ସରିଥିବା ବେଳେ ବିରୋଧୀଙ୍କୁ ପ୍ରାର୍ଥୀ ମିଳୁନାହାନ୍ତି । ବିଜେପିରେ ବିଦ୍ରୋହୀ ନେତାଙ୍କ ପାଇଁ କାହାକୁ ଟିକେଟ୍ ଦିଆଯିବ ଏନେଇ ନିଷ୍ପତ୍ତି ହୋଇପାରୁନି । କେତେକ ସ୍ଥାନରେ ଏପର୍ଯ୍ୟନ୍ତ ଦଳ ପକ୍ଷରୁ ଟିକେଟ୍ ଦିଆଯାଇନାହିଁ । ସେପଟେ କଂଗ୍ରେସ ଅବସ୍ଥା ଆହୁରି ଶୋଚନୀୟ । ଦଳ ପକ୍ଷରୁ ପ୍ରାର୍ଥୀ ହେବାକୁ କେହି ଆଗ୍ରହୀ ନଥିବା ଜଣାପଡିଛି । ଆଜି ନାମାଙ୍କନର ଶେଷ ଦିନ ଥିବାରୁ ବିରୋଧୀଙ୍କ ଚିନ୍ତା ଆହୁରି ବଢିଯାଇଛି । ନାମାଙ୍କନ ପରେ ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ପରେ ୨୫ ତାରିଖ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

Leave a Reply