ଗୁରୁ ଓ ଶିଷ୍ୟଙ୍କ ପବିତ୍ର ସମ୍ପର୍କ, ଆଜି ପାଳିତ ହେଉଛି ଗୁରୁଦିବସ

ଭୁବନେଶ୍ୱର: ଆଜି ଗୁରୁ ଦିବସ । ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ କେତେ ଯେ ପରିବ୍ୟାପ୍ତ ତାହାର ଆକଳନ କରିବା ବେଶ କଷ୍ଟ । ବାପା ମାଆଙ୍କୁ ଜୀବନର ପ୍ରଥମ ଗୁରୁ ବୋଲି କୁହାଯାଏ । କିନ୍ତୁ ପାଠ ଠାରୁ ଖେଳକୁଦ ପୁଣି ନୃତ୍ୟ ସଙ୍ଗୀତ ଅଭିନୟ ସବୁ କ୍ଷେତ୍ରରେ ଆଗକୁ ବଢିବା ପାଇଁ ଗୁରୁଙ୍କ ଅବଦାନ ଲୋଡାଥାଏ । ଭାରତରେ ପ୍ରାଚୀନ କାଳରୁ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏହି ପବିତ୍ର ସମ୍ପର୍କକୁ ପାଳନ କରାଯାଉଛି । ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି ।

ଗୁରୁଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ମନୋନୀତ ଶିକ୍ଷକଙ୍କୁ ଜାତୀୟ ପୁରଷ୍କାରରେ ସମ୍ମାନିତ କରିବେ । ଦେଶର ୪୬ ଜଣ ଶିକ୍ଷକ ପୁରଷ୍କାର ପାଇବାକୁ ଥିବା ବେଳେ ଏମାନଙ୍କୁ ମଧ୍ୟରେ ଓଡିଶାର ପୁରୀ ଜିଲ୍ଲାର ଇଶ୍ବର ଚନ୍ଦ୍ର ନାୟକ ରହିଛନ୍ତି । ଜଣେ ଓଡିଆ ଶିକ୍ଷକଙ୍କ ସମେତ ଦେଶର ୪୬ ଜଣ ଶିକ୍ଷକଙ୍କୁ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ରାଷ୍ଟ୍ରପତି ସମ୍ମାନିତ କରିବେ । ଗୁରୁଦିବସ ଅବସରରେ ସମସ୍ତଙ୍କ ଶିକ୍ଷକଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।