ଆଜି ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ

1 min read

ନନ୍ଦିଘୋଷ ବ୍ୟୁରୋ: ଶନିବାର ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚନ । ଚୀନର ବିରୋଧ ସତ୍ତ୍ବେ ରାଷ୍ଟ୍ରପତି ଓ ସଂସଦ ଲାଗି ଏହି ନିର୍ବାଚନ ହେବ ।  ତାଇଓ୍ବାନ ଉପରେ ଚୀନର ସାମରିକ ଓ ଅର୍ଥନୈତିକ ଆଧିପତ୍ଯ ବଢୁଥିବା ସତ୍ତ୍ବେ ଏହି ନିର୍ବାଚନ ହେଉଛି । ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି-DPPର ରାଷ୍ଟ୍ରପତି ପ୍ରାର୍ଥୀ ଲାଇ ଚିଙ୍ଗତେ ହୋଇଥିବାବେଳେ ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ-KMTର ରାଷ୍ଟ୍ରପତି ପ୍ରାର୍ଥୀ ଅଛନ୍ତି ହୋ ୟୁଇ । ତାଇଓ୍ବାନ ପିପୁଲ୍ସ ପାର୍ଟି-TPPର ରାଷ୍ଟ୍ରପତି ପ୍ରାର୍ଥୀ ଅଛନ୍ତି କୋ ଓ୍ବେନ ଜେ । ବର୍ତ୍ତମାନର ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ କ୍ଷମତାରେ ରହିଛନ୍ତି ୮ ବର୍ଷ । ତେବେ ନିୟମ ଦୃଷ୍ଟିରୁ ଆଉ ନିର୍ବାଚନ ଲଢିପାରିବେନି ସାଇ ଇଙ୍ଗ ଓ୍ବେନ । ତାଇଓ୍ବାନକୁ ସର୍ବଦା ସ୍ବାଧୀନ ରାଷ୍ଟ୍ର ବୋଲି ଘୋଷଣା କରିଆସୁଛି DPP ।

DPPର ରାଷ୍ଟ୍ରପତି ପ୍ରାର୍ଥୀ ଲାଇ ଚିଙ୍ଗତେ ଜଣେ ଡାକ୍ତରରୁ ବନିଥିବା ରାଜନେତା । ତାଙ୍କର ବିଜଯ ସମ୍ଭାବନା ଉଜ୍ବଳ ରହିଛି । TPPର ରାଷ୍ଟ୍ରପତି ପ୍ରାର୍ଥୀ କୋ ଓ୍ବେନ ଜେ ମଧ୍ୟମ ପନ୍ଥୀ । ତାଇଓ୍ବାନର ଇତିହାସ କୁହେ- ତୃତୀୟ ଥର ଲାଗି କୌଣସି ଦଳ କ୍ଷମତାକୁ ଆସିନାହିଁ । ତାଇଓ୍ବାନର ଗଣତାନ୍ତ୍ରିକ ଇତିହାସ ୨୭ ବର୍ଷ ପୁରାତନ । ବର୍ତ୍ତମାନର ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନଙ୍କ ସମୟକାଳରେ ଚୀନ ଅନେକ ପ୍ରକାର ସମ୍ପର୍କ ଛିନ୍ନ କରିଛି । ଗତ କିଛି ବର୍ଷ ମଧ୍ୟରେ ତାଇଓ୍ବାନ ସହ ଚୀନର ସମ୍ପର୍କ ତିକ୍ତ ହୋଇଥିବାବେଳେ ଆମେରିକା-ତାଇଓ୍ବାନ ସମ୍ପର୍କ ବଢିଛି ।  ଚୀନର ବିରୋଧ ସତ୍ତ୍ବେ ଆମେରିକା ତାଇଓ୍ବାନକୁ ବିପୁଳ ଅସ୍ତ୍ରଶସ୍ତ୍ର ବିକ୍ରି କରିଆସୁଛି । ଏପରିକି ତାଇଓ୍ବାନ ଉପରେ ଯଦି ଚୀନ ଆକ୍ରମଣ କରେ ତେବେ ତାଇଓ୍ବାନକୁ ସୁରକ୍ଷା ଦେବାକୁ ଆମେରିକା ଆଗେଇଆସିବା ସମ୍ଭାବନା ରହିଛି ।