ଆଜିଠୁ ଢେଙ୍କାନାଳର ଯୋରନ୍ଦା ପୀଠରେ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଢେଙ୍କାନାଳର ଯୋରନ୍ଦା ପୀଠରେ ଆରମ୍ଭ ହେବ ପ୍ରସିଦ୍ଧ ମାଘମେଳା । ସେଥିପାଇଁ ସଜେଇ ହୋଇଛି ପୂରା ମହିମାଗାଦୀ ପୀଠ । ଦୁଇ ଦିନ ର୍ପୂବରୁ ସାଧୁସନ୍ଥଙ୍କ ଏଠି ଭିଡ ଲାଗିଛି । କୁମ୍ଭ ମେଳାରୁ ବୁଡ ପକାଇ ସିଧା ମାଘମେଳାକୁ ଛୁଟିଆସିଛନ୍ତି ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ । ମହିମା ସନ୍ଯାସୀଙ୍କ ଅଲେଖ ମହିମା ଧ୍ଵନିରେ କମ୍ପିଲାଣି ପୂରା ମହିମା ଗାଦି । ବାଜା, ଖୋଲ କୀର୍ତ୍ତନ ସହ ଖଞ୍ଜଣି ମାଡରେ ବିଭୋର ହେଲେଣି ମହିମା ସନ୍ୟାସୀ ଓ ପର୍ଯ୍ୟଟକ । ୧୩ ତାରିଖ ପର୍ଯ୍ୟନ୍ତ ଉପାସନା ପୀଠରେ ଝାଡଦୀପ ପ୍ରଜ୍ୱଳନ ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗାଦୀମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଧୂନୀ ମନ୍ଦିର, ଶୂନ୍ୟ ମନ୍ଦିର, ବତୀ ମନ୍ଦିର ଓ ୨୧ହାତିଆ ଟୁଙ୍ଗି ଆଦିକୁ ସ୍ବଚ୍ଛ ନିର୍ମଳ କରାଯାଇଛି । ଚଳିତବର୍ଷ ୧୫୨ତମ ବିଶ୍ୱ ପ୍ରସିଦ୍ଧ ମାଘମେଳା ଅନୁଷ୍ଠିତ ହେଉଛି । ମାଘମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥୀରୁ ଏହି ମେଳା ଆରମ୍ଭ ହୋଇ ଦୁଇଦିନ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ମହିମା ସାଧୁ ସନ୍ୟାସୀମାନେ ଜଗତ କଲ୍ୟାଣ ପାଇଁ ମହଣ ମହଣ ଘିଅ ଘୃତାହୂତୀ କରି ଝାଡଦୀପ ପ୍ରଜ୍ୱଳନ କରିବେ । ଶାନ୍ତିଶୃଙ୍ଖଳା ପାଇଁ ପ୍ରାୟ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମାଘମେଳା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ, ଅପେରା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସିସିଟିଭି କ୍ୟାମେରା ଲଗାଯିବା ସହିତ ଟ୍ରାଫିକ ନିୟନ୍ତ୍ରଣକୁ ଅଧିକ କଡାକଡି କରାଯାଇଛି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଜନ ସମାଗମ ହେବା ନେଇ ଅନୁମାନ କରିଛି ପ୍ରଶାସନ ।…