ଆଜି ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେବ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା । ଦୁଇ ଜିଲ୍ଲାରେ ବିଭିନ୍ନ ଉନ୍ନୟନ୍ନମୂଳକ ପ୍ରକଳ୍ପର ଉଦଘାଟନ ହେବ । ଖୋର୍ଧା ଜିଲ୍ଲାରେ ୯୫ କୋଟି ଟଙ୍କା ବ୍ୟୟରେ ୨ ହଜାର ୭୬୩ଟି ପ୍ରକଳ୍ପ ଏବଂ ଜଗତସିଂହପୁରରେ ୯୯ କୋଟି ଟଙ୍କା ବ୍ୟୟରେ ୨ ହଜାର ୯୨୨ଟି ଉନ୍ନୟନ୍ନପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କର ମହତ୍ତ୍ଵାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଫୋକସରେ ରହିଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ। ପ୍ରଥମେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ପରେ ପୁରୀ, ନୟାଗଡ଼, ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି ।

ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତ ସାମିଲ ହେବେ । ମୋଟ କ ୯୦ ହଜାର ୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ । ପ୍ରତି ଗାଁରେ ଓଡିଶାର ସଂସ୍କୃତିର ମୂଳଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ।