ଆଜି ଦଶମୀରେ ରଥ ଉପରେ ହେବ ନୀତିକାନ୍ତି , କାଲି ସୁନାବେଶ

ପୁରୀ : ନବଦିନାତ୍ମକ ରଥଯାତ୍ରା ସାରି ଭାଇ ଭଉଣୀଙ୍କୁ ନେଇ ବାହୁଡ଼ିଛନ୍ତି ମହାବାହୁ । ଆଜି ଦଶମୀ ସହ ସଂକ୍ରାନ୍ତି ଥିବାରୁ ରଥ ଉପରେ ହେବ ନୀତିକାନ୍ତି । ୩ ରଥରେ ସକାଳ ୬ଟାରୁ ମଙ୍ଗଳ ଆଳତି କରାଯାଇ ଦୈନନ୍ଦିନ ନୀତିକାନ୍ତି ପରେ ଅପରାହ୍ଣ ୨ଟାରେ ମଧ୍ଯାହ୍ଣ ଧୂପ ଲାଗି ହେବ । ରାତି ୯ଟା ୩୦ରେ ବଡ଼ ସିଂହାର ବେଶ ପରେ ବଡ଼ ସିଂହାର ଭୋଗ ଲାଗି ହେବ । ରାତି ୧୧ଟାରେ ପଡ଼ିବ ପହୁଡ଼ । ଆସନ୍ତାକାଲି ସୁନା ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ । ମହଣ ମହଣ ସୁନାରେ ସଜେଇ ହୋଇ ରଥରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତୀ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

ସୁନାବେଶ ପାଇଁ ରେଳବାଇ ପକ୍ଷରୁ ୪୩ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ଗୁରୁବାର ପାର୍ଶ୍ବ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ପାଇଁ ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ଯାତ୍ରୀଙ୍କ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୩୩ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଶୁକ୍ରବାର ନୀଳାଦ୍ରୀ ବିଜେ ନୀତି । ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିବେ ଜଗତ ଠାକୁର ।

ସୁନାବେଶ ଓ ଅଧରପଣା ପାଇଁ ପୁରୀରେ ଜମିବ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଯାତାୟାତ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍ ବ୍ଯବସ୍ଥା । ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ ସୁନାବେଶ ପାଇଁ ୪୩ଟି ଏବଂ ଅଧରପଣା ପାଇଁ ୩୩ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ପୂର୍ବତଟ ରେଳବାଇ ପକ୍ଷରୁ ଚଳିତ ରଥଯାତ୍ରା ପାଇଁ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା ​​।

୫ ଜୁଲାଇରୁ ୧୫ ଜୁଲାଇ ମଧ୍ୟରେ ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ଯନ୍ତ ୨୩୯ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି । ସୁନାବେଶ ପାଇଁ ପାରାଦୀପ, ଅନୁଗୁଳ, ଭଦ୍ରକ, ଜୁନାଗଡ଼ ରୋଡ୍, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା, ସୋମପେଟା, ପଲାସା, କେନ୍ଦୁଝରଗଡ, ଗୁଣୁପୁର, ଜଗଦଳପୁର, ସୋନପୁର, ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୁରୀକୁ ଚଳାଚଳ କରିବ । ସେହିଭଳି ପାରାଦୀପ, ଅନୁଗୁଳ, ଭଦ୍ରକ, ଦଶପଲ୍ଲା, ପଲାସା, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ଟ୍ରେନ୍ ଗୁଡିକ ଅଧରପଣା ପାଇଁ ପୁରୀ ଅଭିମୁଖେ ଯାତ୍ରା କରିବ । ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ବିଭିନ୍ନ ସୁବିଧା ଯୋଗାଇ ଦେଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି ।