ଆଜି ପାକିସ୍ତାନକୁ ଭେଟିବ ଆଫଗାନିସ୍ତାନ

ଚେନ୍ନାଇ: ବିଶ୍ବକପ କ୍ରିକେଟରେ ସୋମବାର ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍ । ଚେନ୍ନାଇର ଏମ.ଏ ଚିଦାମ୍ବର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ପାକିସ୍ତାନ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ୨ଟି ବିଜୟ ଓ ୨ଟି ପରାଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଅଛି । ତେଣୁ ଆଜିର ମ୍ୟାଚ ଜିତି ପଏଣ୍ଟରେ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ ପାକିସ୍ତାନ । ପୂରା ଫର୍ମରେ ଅଛନ୍ତି ବାବର ବ୍ରିଗେଡ୍ । ଅନ୍ୟପଟେ ଟକ୍କର ଦେବାକୁ ପ୍ରସ୍ତୁତ ଆଫଗାନିସ୍ତାନ । ଆଫଗାପିସ୍ତାନ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟ ଓ ୩ଟି ପରାଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଅଛି । ଆଫଗାନିସ୍ତାନ ଇଂଲଣ୍ଡକୁ ହରାଇବା ପରେ ଦଳର ମନୋବଳ ଦୃଢ଼ ରହିଛି । ତେଣୁ ଆଜିର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ରବିବାର ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ବକପର ଟେବୁଲ ଟପରେ ରହିଛି।

ଚେନ୍ନାଇର ଏମ୍.ଚିଦାମ୍ବରମ ଷ୍ଟାଡିୟମ ସ୍ପିନରଙ୍କୁ ସୁହାଉଥିବାବେଳେ ଆଫଗାନିସ୍ତାନ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଆଫଗାନିସ୍ତାନ ଦଳରେ ଦକ୍ଷ ସ୍ପିନର ରହିଥିବାବେଳେ ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଭାରତ ଅଷ୍ଟ୍ରେଲିଆ ମ୍ୟାଚ ଏହି ଷ୍ଟାଡିୟମରେ ଖେଳାଯାଇଥିବାବେଳେ ଭାରତୀୟ ସ୍ପିନରମାନେ ଦମଦାର ବୋଲିଂ କରି ଅଷ୍ଟ୍ରେଲିଆକୁ ଧୂଳି ଚଟାଇଥିଲେ । ତେବେ ଆଜିର ମ୍ୟାଚରେ ଆଫଗାନିସ୍ତାନ ବୋଲରମାନେ ଭଲ ପ୍ରଦର୍ଶନ କରିବେ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି ।

ସୂଚନା ଥାଉକି, ବିଶ୍ବକପରେ ଭାରତର ଲଗାତାର ପଞ୍ଚମ ବିଜୟ । ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ଆଇସିସି ଇଭେଣ୍ଟରେ ମାତ ଦେଲା ଟିମ୍ ଇଣ୍ଡିଆ । ଏହା ସହିତ ୨୦୧୯ ବିଶ୍ବକପର ବଦଲା ନେଇଛି ଭାରତ । ଧର୍ମଶାଳାରେ କଡ଼ା ମୁକାବିଲାରେ ଭାରତର ଦମଦାର ବିଜୟ । ନ୍ୟୁଜିଲାଣ୍ଡକୁ ହରାଇ ଚଳିତ ବିଶ୍ବକପରେ ଅପରାଜେୟର ରେକର୍ଡ ରଖିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ମେନ୍ ଇନ ବ୍ଲୁ । ମ୍ୟାଚରେ ଦେଖିବାକୁ ମିଳିଲା ବିରାଟ ଓ ଜାଡେଜା ଜଲଓ୍ବା । ବିରାଟ ୧୦୪ ବଲ ଖେଳି ୯୫ ରନ କରିଥିବାବେଳେ ୪୪ ବଲରେ ୩୯ ରନ କରି ଦଳକୁ ବିଜୟୀ କରାଇଛନ୍ତି । ୨୦୧୯ ବିଶ୍ବକପ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ହିଁ ବିଦା କରିଥିଲା । ଅନ୍ୟପଟେ ଗତ ୨୦ ବର୍ଷ ଧରି ଆଇସିସି ଇଭେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇ ପାରିନଥିଲା ଭାରତ  ।

ଚଳିତ ବିଶ୍ବକପରେ ଏହି ପରାଜୟ ଧାରା ଭାଙ୍ଗିବାରେ ସଫଳ ହୋଇଥି ଟିମ ଇଣ୍ଡିଆ  । ବିଶ୍ବକପରେ ନିଜର ପଞ୍ଚମ ମୁକାବିଲାରେ ଭାରତ ଟସ ଜିତି ବୋଲିଂ କରିଥିଲା । ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା  । ନ୍ୟୁଜିଲାଣ୍ଡ ଦଳୀୟ ସ୍କୋର ୧୯ ହୋଇଥିବାବେଳେ  ଓପନର କନଓ୍ବେ ଓ ଓ୍ବିଲୟଙ୍ଗ ପାଭିଲିଅନ ଫେରିଥିଲେ । ପରେ ରାଚିନ ରବୀନ୍ଦ୍ର ଓ ଡାରିଲ ମିସେଲ ଲଢୁଆ ବ୍ୟାଟିଂ କରି ଦଳକୁ ଆଗେଇ ନେଇଥିଲେ  ।  ମିସେଲ ବିସ୍ଫୋରକ ବ୍ୟାଟିଂ କରି ୧୩୦ ରନ କରିଥିଲେ  । ରବୀନ୍ଦ୍ର ୭୫ ରନ କରି ପାଭିଲିଅନ ଫେରିଥିଲେ । ଭାରତୀୟ ବୋଲରମାନେ ଭଲ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଓ ନିମ୍ନକ୍ରମକୁ ଭାଙ୍ଗିବାକୁ ସଫଳ ହୋଇଥିଲେ । ଫଳରେ ବଜଡ଼ ସ୍କୋର ଅଭିମୁଖେ ଯାଉଥିବା ନ୍ୟୁଜିଲାଣ୍ଡ ୨୭୩ ରନରେ ଅଲଆଉଟ ହୋଇଯାଇଥିଲା ।