ଆଜି ଘରୋଇ ବସ ସଂଘର କୋର କମିଟି ସହ ଆଲୋଚନା କରିବେ ରାଜ୍ୟ ସରକାର

ଭୁବନେଶ୍ବର: ଗୁରୁବାର ଘରୋଇ ବସ ସଂଘର କୋର କମିଟି ସହ ଆଲୋଚନା କରିବେ ରାଜ୍ୟ ସରକାର । ଏହାର ନିର୍ଯାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇ ଘରୋଇ ବସ୍ ମାଲିକ ସଂଘ ଦାବି ପୂରଣ ଦିଗରେ ବାଟ ବାହାର କରାଯିବ । ରାଜ୍ୟ ସରକାରଙ୍କ ପରିବହନ ଯୋଜନାର ସଫଳ କାର୍ଯ୍ୟକାରିତା ସହ ଘରୋଇ ବସ୍ ମାଲିକ ସଂଘର ବ୍ୟବସାୟକୁ ବୈଠକରେ ଗୁରୁତ୍ବ ଦିଆଯିବ । ପୂର୍ବରୁ ପାର୍ବଣକୁ ଦୃଷ୍ଟିରେ ରଖି ଘରୋଇ ବସ୍ ମାଲିକ ସଂଘ ସହ ରାଜ୍ୟ ସରକାରଙ୍କ ଆଲୋଚନା ସଫଳ ହୋଇଥିଲା ।

ଯେଉଁଥି ପାଇଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବସ ଧର୍ମଘଟକୁ ସ୍ଥଗିତ କରାଯାଇଛି  । ପୂର୍ବରୁ ରଥଯାତ୍ରା ସମୟରେ ବି ଘରୋଇ ବସ୍ ମାଲିକ ସଂଘର ଅନେକ ଦାବି ପୂରଣ କରିଥିଲେ ରାଜ୍ୟ ସରକାର । ମାଲିକାନା ସତ୍ତ୍ବ ପରିବର୍ତ୍ତନ ଦାବି ପୂରଣ ହୋଇଛି । ଯାହା ଦ୍ବାରା ସେମାନେ ପରମିଟ୍ ସହ ବସ୍ ବିକି ପାରିବେ । ସେହିପରି ୧୫ ବର୍ଷର ବସକୁ ଆହୁରି ୫ ବର୍ଷ ଅସ୍ଥାୟୀ ପରମିଟ୍ ଦାବି ବି ବିଚାର ହୋଇଛି । ଯେଉଁଥି ପାଇଁ ରାଜ୍ୟ ସରକାରଙ୍କ ଉପରେ ଘରୋଇ ବସ୍ ମାଲିକ ସଂଘ ପୁଣି ଥରେ ଆସ୍ଥା ରଖିଛି ।