ସ୍ବର୍ଗଦ୍ବାରରେ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ

1 min read

ଭୁବନେଶ୍ବର: ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ବର୍ଗଦ୍ବାରରେ ହେବ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ସମ୍ପନ୍ନ । ଏହା ପୂର୍ବରୁ ଭୁବନେଶ୍ବର ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ରଜତ କରଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରଜତ କରଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଛନ୍ତି ।

ଗତକାଲି ୮୮ ବର୍ଷ ବୟସରେ ଆଖି ବୁଜିଥିଲେ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ବାଗ୍ମୀ ରଜତ କର । ୧୯୩୪ ମସିହା ଅକ୍ଟୋବର ୨ରେ କଟକ ଜିଲ୍ଲାରେ ଜନ୍ମଲାଭ କରିଥିବା ରଜତଙ୍କୁ ୨୦୨୧ରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ମିଳିଥିଲା । ଜଗନ୍ନାଥ ସଂସ୍କୃତି ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ । ରଜତ କର ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ SCERTର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ  କରିବା ସହିତ ଅନେକ ନାଟକ ରଚନା କରିଛନ୍ତି ।

ସେ ପଦ୍ମଶ୍ରୀ ସମ୍ମାନ, ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ଗୋଦାବରୀଶ ମିଶ୍ର ସମ୍ମାନ ଇତ୍ୟାଦି ସମ୍ମାନ ଲାଭ କରିଥିଲେ । ସ୍ବର୍ଗତ ବିଛନ୍ଦ ଚରଣ ପଟ୍ଟନାୟକ ଥିଲେ ରଜତଙ୍କ ସାହିତ୍ୟ ଜୀବନର ଗୁରୁ । ଭଞ୍ଜ ସାହିତ୍ୟ ଓ ଜଗନ୍ନାଥ ଚେତନାର ସେ ଥିଲେ ଦକ୍ଷ ବିଶ୍ଲେଷକ । ଦେଶ ବିଦେଶରେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରି ଖ୍ୟାତି ଅର୍ଜନ କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ସୁଖ୍ୟାତି ଥିଲା । ୧୯୫୭ରୁ ସେ ରଥଯାତ୍ରାର ଧାରା ବିବରଣୀ ଦେଇ ଜନମାନସରେ ଆଦୃତ ହୋଇଥିଲେ ।

ପୂର୍ବତନ ବାଚସ୍ପତି ଶରତ କରଙ୍କ ଭାଇ ହେଉଛନ୍ତି ରଜତ । ତାଙ୍କ ବିୟୋଗରେ ସବୁ ମହଲରୁ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।