ନୂଆଦିଲ୍ଲୀ: ଶନିବାର ସରିଯିବ ୨୦୦୦ ଟଙ୍କିଆ ନୋଟ ବଦଳାଇବା ସମୟ ଅବଧି । କାଲିଠୁ ଆଉ କୌଣସି ବ୍ୟାଙ୍କ ବ୍ରାଂଚରେ ନୋଟକୁ ବଦଳାଯାଇପାରିବ ନାହିଁ। ପୂର୍ବରୁ ସେପ୍ଟେମ୍ବର  ୩୦ ସୁଦ୍ଧା ନୋଟ ବଦଳାଇବାକୁ ସମୟ ସୀମା ଧାର୍ଯ୍ୟ କରିଥିଲେ ରିଜର୍ଭ ବ୍ୟାଙ୍କ । ପରେ ଏହାର ଅବଧି ଅକ୍ଟୋବର ୭କୁ ବୃଦ୍ଧି କରାଯାଇଥିଲା । ଆଜି ଶନିବାର ଥିବାରୁ ଅନେକ ବ୍ୟାଙ୍କରେ ଅଧା ଦିନ ଅଫିସ୍ କାର୍ଯ୍ୟ ରହିବ । ତେଣୁ ଗ୍ରାହକଙ୍କୁ ନୋଟ ବଦଳାଇବାକୁ କମ ସମୟ ମିଳିବ ।

ଯେଉଁମାନେ ଏହି ସମୟ ମଧ୍ୟରେ ବ୍ୟାଙ୍କ ଶାଖାରେ ୨ ହଜାର ଟଙ୍କିଆ ନୋଟ ଦାଖଲ କରିପାରିନାହାନ୍ତି ସେମାନେ ରିଜର୍ଭ ବ୍ୟାଙ୍କର ୧୯ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଅବଧି ପରେ ମଧ୍ୟ ନୋଟ ବଦଳାଇପାରିବେ । ୩୧ ମାର୍ଚ୍ଚ ସୁଦ୍ଧା ଦେଶରେ ୩.୫୬ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଜାରରେ ମହଜୁଦ ଥିବା ବେଳେ ସେଥିମଧ୍ୟରୁ ୩. ୪୩ ଲକ୍ଷ କୋଟିର ନୋଟ ବ୍ୟାଙ୍କକୁ ଫେରସ୍ତ ହୋଇସାରିଛି । ଅର୍ଥାତ୍ ୦.୧୪ଲକ୍ଷ କୋଟି ଟଙ୍କାର ନୋଟ ବଜାରରେ ମହଜୁଦ ଅଛି। ୨୯ ସେପ୍ଟେମ୍ବର ୨୦୨୩ ସୁଦ୍ଧା ୯୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ଫେରସ୍ତ ହୋଇସାରିଛି ।