ଆଜି ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ତିମ ଦିନ। ଆଜି କଂସ ବଧ ସହିତ ପଡିବ ଯବନିକା। ଗତକାଲି ଦଶମ ଦିନରେ ଅକ୍ରୁରଙ୍କ ସହିତ ମଥୁରାରେ ପହଞ୍ଚିଥିଲେ ଦୁଇଭାଇ କୃଷ୍ଣ ବଳରାମ । ପ୍ରଭୁଙ୍କୁ ଭବ୍ୟ ସ୍ୱାଗତ ସହ ଆନନ୍ଦ ଉଲ୍ଲାସର ନାଚିଉଠିଥିଲେ ମଥୁରାବାସୀ। ମଧୁବନ ତୋଟାରୁ ମଥୁରା ଭ୍ରମଣ ଆରମ୍ଭ କରିଥିଲେ ବାଙ୍କବିହାରୀ । ବାଟରେ ପୂଜାର୍ଚ୍ଚନା ସହ କଂସର ଆତଙ୍କରୁ ରକ୍ଷା ପାଇଁ ଲୋକେ ନିବେଦନ କରିଥିଲେ । ରଜକ ସହ ସାକ୍ଷାତ ପରେ ଖଜୁରଟିକ୍ରାରେ ଥିବା ରାଜକୀୟ ବଗିଚାରେ ପ୍ରଭୁଙ୍କ ସହ ସୁଦାମା ମାଳିଙ୍କ ଭେଟ ହୋଇଥିଲା । ତାପରେ ସ୍ଥାନୀୟ ଶ୍ୟାମାକାଳୀ ମନ୍ଦିରରେ କୁବୁଜାଙ୍କ ସହ ଦେଖା ହୋଇଥିଲା । ଭଗବାନଙ୍କୁ ପ୍ରାର୍ଥନା କରିବା ପରେ ପ୍ରଭୁଙ୍କ ସ୍ପର୍ଶରେ କୁବୁଜା ଉଦ୍ଧାର ହୋଇଥିଲା। ଏକ ସୁନ୍ଦରୀ ନାରୀରେ ପରିଣତ ହୋଇଥିଲା କୁବୁଜା । ମଥୁରାରେ ଭଗବାନ କୃଷ୍ଣଙ୍କର ଲୀଳା ଦେଖି କଂସର ଅତ୍ୟାଚାରରୁ ମଥୁରାବାସୀ ମୁକ୍ତି ପାଇବେ ବୋଲି ଆଶା ରଖିଛନ୍ତି।
ମହାରାଜା କଂସ ନଗର ଭ୍ରମଣ ସହ ରଂଗ ମହଲରେ ନାଚ ଗୀତର ମଜା ଉଠାଇଥିଲେ । ରାଜଦରବାରକୁ ପହଂଚି ନ୍ୟାୟ ବିଚାର କରିଥିଲେ । ଏହାପରେ କଂସ ସ୍ୱପ୍ନରେ କୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡିଥିଲେ । ହଠାତ୍ ନିଦରୁ ଉଠି ପଡ଼ି ନିଜ ମନ୍ତ୍ରୀ ପରିଷଦକୁ ଜଣାଇଥିଲେ । କଂସର ଛାୟା ଆସି କଂସକୁ ସତର୍କ କରାଇଥିବାବେଳେ ମନ୍ତ୍ରୀ ଓ ସେନାପତି ମହାରାଜା କଂସଙ୍କୁ ଆଶ୍ୱସ୍ତି କରିଛନ୍ତି । ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ଅନ୍ତିମ ଦିନରେ କୃଷ୍ଣ ବଳରାମଙ୍କ ସହ ଗୋପାଳ ବାଳକଙ୍କ ମଥୁରା ଭ୍ରମଣ, କୁବଳୟା ହସ୍ତିବଧ, ଚାଣୁର ଓ ମୁଷ୍ଟିକ, ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ, କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ଆଦି ଦୃଶ୍ୟ ଅଭିନୀତ ହେବ। କଂସ ମୃତ୍ୟୁରେ ସମଗ୍ର ମଥୁରା ଓ ଗୋପପୁରରେ ଆନନ୍ଦର ଲହରୀ ସହ ସମାପନ ହେବ ଧନୁଯାତ୍ରା ।

