ଆଜି ବିଶ୍ୱ ପଖାଳ ଦିବସ: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ବିଶ୍ବ ପଖାଳ ଦିବସ । ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ । ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ । ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖ ପଖାଳ ଦିବସ ପାଳନ କରାଯାଇଥାଏ ।
ପାଖରେ କିଛି ଥାଉ କି ନଥାଉ କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ଜମିଲା ପଖାଳ ଖାଇବା । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି । ହେଲେ ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ । ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି । ଏହିଦିନ ବଡ଼ ବଡ଼ ହୋଟେଲରେ ସ୍ବତନ୍ତ୍ର ମେନୁ ପରସା ଯାଉଛି ।
ବିଶ୍ୱ ପଖାଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,’ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ । ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର । ପଖାଳ ଦିବସରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଜଣାଉଛି ।’