ଆଜି ବିଶ୍ୱ ମାତୃ ଦିବସ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ଶିଳ୍ପୀ ମାନସ ସାହୁ

ଭୁବନେଶ୍ୱର: ଯାହା ବିନା ଜନ୍ମ ନାହିଁ । ଯାହା ବିନା ଅସ୍ତିତ୍ବ ନାହିଁ । ସେ ମାଆ । ତାଠୁ ସଂସାର ଆରମ୍ଭ ହୁଏ, ତାହାଠି ହିଁ ଶେଷ ହୁଏ । ଯେଉଁ ଡାକରେ ଜୀବନ ଆରମ୍ଭ ହୁଏ, ବ୍ରହ୍ମାଣ୍ଡ ବିଲୀନ ହୁଏ ସେ ନାଁ ହେଉଛି ମାଆ ।  ମା’ ଦୁନିଆର ସବୁଠୁ ମଧୁର ଆଉ ବ୍ୟାପକ ଶବ୍ଦ । ସେ ଅବର୍ଣ୍ଣନୀୟ । ସବୁଦିନ ତ ମାଆଠୁ ଆରମ୍ଭ ହେଉଛି । ମାଆ ପ୍ରତି ଭଲପାଇବା ଓ ତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ ହେଉଛି ସ୍ବତନ୍ତ୍ର ଦିନ । ଆଜି ହେଉଛି ବିଶ୍ବ ମାତୃ ଦିବସ । ପ୍ରତିବର୍ଷ ମେ ମାସ ଦ୍ବିତୀୟ ରବିବାରକୁ ମାତୃଦିବସ ରୂପେ ପାଳନ କରାଯାଉଛି । ମା’କୁ ସମ୍ମାନ ଦେବା ଲାଗି ପ୍ରଥମେ ଆମେରିକାରେ ମାତୃ ଦିବସର ଆରମ୍ଭ ହୋଇଥିଲା ।

ଆମେରିକାର ଆକ୍ଟିଭିଷ୍ଟ ଏନା ଜାର୍ବିସ ନିଜ ମା’ଙ୍କୁ ବହୁତ ଭଲ ପାଉଥିଲେ । ମାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କରିଥିଲେ । ୧୯୧୪ ମସିହା ମେ’ ୯ ତାରିଖରେ ଆମେରିକାରେ ଏକ ବିଲ୍‌ ପାସ ହୋଇଥିଲା, ଯେଉଁଥିରେ ମେ’ ମାସର ଦ୍ୱିତୀୟ ରବିବାରକୁ ’ମଦର୍ସ ଡେ’ ରୂପେ ପାଳନ କରାଯିବା ପାଇଁ ଉଲ୍ଲେଖ ରହିଥିଲା । ଏହାପରେ ଭାରତ ସହିତ ଏନେକ ଦେଶ ମେ’ ମାସର ଦ୍ବିତୀୟ ରବିବାରକୁ ମାତୃ ଦିବସ ରୂପେ ପାଳନ କରି ଆସୁଛନ୍ତି । ମାଆ ପାଇଁ କୌଣସି ଗୋଟିଏ ଦିନ ନୁହେଁ । ଜୀବନ ଥିବା ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ହୃଦୟରେ ମାଆ ପ୍ରତି ଭଲପାଇବା ସମ୍ମାନ ରହିଛି ଆଉ ରହିବ । ହେଲେ ଆଜି ଦିନଟି କିଛି ଖାସ ଭାବେ ପାଳନ କରାଯାଏ ।

ମାତୃ ଦିବସ ଅବସରରେ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ମାଆର ଭଲପାଇବା କେହି ଭୁଲିବା ସମ୍ଭବ ନୁହେଁ । ମା’ ହିଁ ଭଗବାନଙ୍କ ଏକମାତ୍ର ସୁନ୍ଦର ପରିକଳ୍ପନା ଯିଏ କୌଣସି ଆଶା ଅଭିଳାଷ ନରଖି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦାନ କରିଥାଏ । ବାଲୁକା କଳାରେ ଏଭଳି ବାର୍ତ୍ତା ଦେଇଛନ୍ତି ଶିଳ୍ପୀ ମାନସ କୁମାର ସାହୁ । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ତାଙ୍କୁ ୭ଘଣ୍ଟା ସମୟ ଲାଗିଛି । ୧୨ଫୁଟ ଓସାରର ଏହି କଳା ନିର୍ମାଣ ପାଇଁ ୧୨ଟନ ବାଲି ବ୍ୟବହାର ହୋଇଛି ।